Hot Posts

6/recent/ticker-posts

ମାଲକାନଗିରି ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ: ସର୍ପାଘାତ ଗର୍ଭବତୀ ମହିଳା ଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତରଙ୍କୁ ମାଡ଼, ତଦନ୍ତ ଆରମ୍ଭ।​

ମାଲକାନଗିରି, ୧୭/୦୬ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସର୍ପାଘାତ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିଥିବା ବେଳେ ମେଡିକାଲ ପରିସରରେ ରଣକ୍ଷେତ୍ର ପାଲଟିଥିଲା। ଶେଷରେ ମାଲକାନଗିରି ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି। ​ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-୪୩ ଗ୍ରାମର ବନ୍ଦନା ମଣ୍ଡଳ ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ଗତକାଲି ମଧ୍ୟ ରାତ୍ର ରେ ଏକ ସର୍ପାଘାତ ହୋଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ। ସେଠାରେ ଡାକ୍ତର ସିଦ୍ଧାର୍ଥ ମହିଳାଙ୍କ ଚିକିତ୍ସା କରିଥିଲେ। ​ଚିକିତ୍ସାରେ ବିଳମ୍ବ ଅଭିଯୋଗ ବୋଲି ପରିବାର ଲୋକଙ୍କ କହିବା ଅନୁଯାୟୀ ମହିଳାଙ୍କ ଶରୀରରେ କୌଣସି ସାପ କାମୁଡ଼ାର ସ୍ପଷ୍ଟ ଚିହ୍ନ ନଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ଡାକ୍ତର କେବଳ ବାନ୍ତି ରୋକିବା ଔଷଧ ଦେଇଥିଲେ। ମାତ୍ର ରୋଗୀ ଜଣକ ନିଜେ ସାପ ଦେଖିଥିବା ଏବଂ ସର୍ପାଘାତର ଶୀକାର ହୋଇଥିବା ବାରମ୍ବାର କହିବା ପରେ, ଡାକ୍ତର ତାଙ୍କୁ ଆଣ୍ଟି-ସ୍ନେକ ଭେନମ (ସାପ କାମୁଡ଼ା ଇଞ୍ଜେକ୍ସନ) ଦେଇଥିଲେ। ହେଲେ ଇଞ୍ଜେକ୍ସନ ନେବାର କିଛି ସମୟ ମଧ୍ୟରେ ହିଁ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଥିଲା।​ମହିଳାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଓ ପରିବାର ଲୋକେ ଚିକିତ୍ସା କରିଥିବା ଡାକ୍ତର ସିଦ୍ଧାର୍ଥଙ୍କୁ ଆକ୍ରମଣ କରିବା ସହ ମାରପିଟ୍ କରିଥିଲେ। ଖବର ପାଇ ମେଡିକାଲ ଫାଣ୍ଡି ପୋଲିସ ଓ ଆଦର୍ଶ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡାକ୍ତରଙ୍କୁ ଉଦ୍ଧାର କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହି ଅଭାବନୀୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅପରପକ୍ଷରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାର ରଞ୍ଜନ ପ୍ରହରାଜ ଙ୍କୁ ପଚାରିବାରୁ ସେ କହିଛନ୍ତି ଡାକ୍ତର ଙ୍କ ଚିକିତ୍ସା ରେ କିଛି ଅବହେଳା ହୋଇନାହିଁ, ସେ ଗର୍ଭବତୀ ମହିଳା ଙ୍କୁ ଏକ ସାପ କାମୁଡ଼ିଥିଲା ହସ୍ପିଟାଲ ରେ ଚିକିତ୍ସା ହୋଇ ସେ ଘରକୁ ଫେରି ଯାଇଥିଲେ, ଘରେ ପୁର୍ନବାର ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ କୁ ଆଣିଥିଲେ, ହସ୍ପିଟାଲ ରେ ଚିକିତ୍ସିତ ଅବସ୍ଥା ରେ ତାଙ୍କର ମୃତ୍ୟୁ ଘଟିଛି, ଜଣେ ଗର୍ଭ ବତୀ ମହିଳା ଙ୍କ ଅକାଳ ମୃତ୍ୟୁ ରେ ଆମେ ଦୁଃଖିତ, କିନ୍ତୁ ଡାକ୍ତର ଙ୍କୁ ମାରିବା ଠିକ ହୋଇନାହିଁ, ମୃତ ପରିବାର ଲୋକ ଙ୍କ ଅଭିଯୋଗ କେତେ ଦୂର ସତ୍ୟ ରହିଛି ଏହା ର ତଦନ୍ତ କରାଯିବ ବୋଲି ସିଡିଏମଓ ଶ୍ରୀ ପ୍ରହରାଜ କହିଛନ୍ତି।



ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।