ବେଆଇନ ପାଉଁଶ କାରବାର ବିରୋଧରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଶକ୍ତ ଆଭିମୁଖ୍ୟ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଝାରସୁଗୁଡ଼ା, ୨୦/୦୫ ( ଅନିଲ କୁମାର ସରାଫ ) : ଝାରସୁଗୁଡ଼ା ଅଞ୍ଚଳରେ ପୁଣି ମୁଣ୍ଡ ଟେକିଛି ବେଆଇନ ପାଉଁଶ ମାଫିଆଙ୍କ ପ୍ରାଦୁର୍ଭାବ। ସାଧାରଣ ନିର୍ବାଚନ ପରେ କିଛି ଦିନ ପାଇଁ ବନ୍ଦ ରହିଥିବା ଏହି ବେଆଇନ କାରବାର ଏବେ ପୁଣି ହଠାତ୍ ସକ୍ରିୟ ହୋଇଉଠିଛି, ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଗମ୍ଭୀର ସମସ୍ୟା ଉପରେ ଶକ୍ତ ଆଭିମୁଖ୍ୟ ଗ୍ରହଣ କରି ଝାରସୁଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଙ୍ଗଳବାର ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଏବଂ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।ବିଧାୟକ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଙ୍କୁ ଦେଇଥିବା ନିଜ ପତ୍ରରେ ଦର୍ଶାଇଛନ୍ତି ଯେ, ବିଗତ ପ୍ରାୟ ୧୦ ବର୍ଷ ଧରି ଝାରସୁଗୁଡ଼ାର ବିଭିନ୍ନ ନଦୀ, ନାଳ ଓ ଚାଷଜମି ଉପରେ ବେଆଇନ ଭାବେ ପାଉଁଶ ପକାଯାଉଥିବାରୁ ଜନଜୀବନ ଅତିଷ୍ଠ ହୋଇପଡ଼ିଥିଲା। ବିଶେଷ କରି ଝାରସୁଗୁଡ଼ା ସୀମାକୁ ଲାଗି ରହିଥିବା ଭେଦେନ ନଦୀ ଏବଂ ଇବ୍ ନଦୀର ଦୁଇ ପାର୍ଶ୍ୱରେ ବ୍ୟାପକ ପରିମାଣର ପାଉଁଶ ପକାଯାଉଛି। କିଛି ଅସାଧୁ ବ୍ୟକ୍ତି ରାତି ଅଧରେ ସାଧାରଣ ଲୋକଙ୍କ ଚାଷଜମି ଓ ନଦୀ କୂଳରେ ଜବରଦସ୍ତି ପାଉଁଶ ପକାଉଛନ୍ତି, ଯାହା ଫଳରେ ସ୍ଥାନୀୟ ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବାକୁ ବସିଛି। ଝାରସୁଗୁଡ଼ାର ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିମ୍ନଲିଖିତ ଦାବିଗୁଡ଼ିକ ରଖିଛନ୍ତି |ସେଗୁଡିକ ହେଲା ବେଆଇନ ଆସ ଡ଼ମ୍ପିଂ କାରବାର କୁ ରୋକିବା ପାଇଁ ପରିବେଶ ବିଶେଷଜ୍ଞ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଉ। ଏହି ଟିମ୍ ବିଗତ ୧୦ ବର୍ଷ ଭିତରେ ହୋଇଥିବା ସମସ୍ତ ବେଆଇନ ପାଉଁଶ କାରବାରର ସଠିକ୍ ସମୀକ୍ଷା ଓ ତଦାରଖ କରୁ। ଭେଡେ଼ନ ଏବଂ ଇବ୍ ନଦୀର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ ସ୍ଥାୟୀ ରୋଡ଼ମ୍ୟାପ୍ ପ୍ରସ୍ତୁତ କରାଯାଉ। ପରିବେଶ ନିୟମ ଉଲ୍ଲଂଘନ କରୁଥିବା ଅସାଧୁ ଟ୍ରାନ୍ସପୋର୍ଟରମାନଙ୍କୁ ସବୁଦିନ ପାଇଁ ସବୁ ସ୍ଥାନରୁ କଳା ତାଲିକାଭୁକ୍ତ କରାଯାଉ।ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା କମ୍ପାନୀ ଏବଂ ଏଥିରେ ସହଯୋଗ କରୁଥିବା ସରକାରୀ ଓ ବେସରକାରୀ ସ୍ତରର ସମସ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ନୂତନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ପାଉଁଶ ପରିଚାଳନା ପାଇଁ ଯେଉଁ ନୂତନ ଓ ସ୍ୱତନ୍ତ୍ର ନିୟମାବଳୀ ଆଣିଛନ୍ତି, ସେଥିପାଇଁ ବିଧାୟକ ତ୍ରିପାଠୀ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।