ସେଆର,ଲାଇକ କରି ଟଙ୍କା ରୋଜଗାର ନାଁ ରେ ଠକେଇ
କଟକ, ୧୧/୦୫ (ଦେବୀ ଦତ୍ତ ଶିବପ୍ରସାଦ ନାୟକ) : ଆମେ ଯେତେ ସତର୍କ ହେଲେ ମଧ୍ୟ ଠକ ମାନଙ୍କୁ ଠାରୁ ବର୍ତ୍ତି ପାରୁନାହାନ୍ତି ଲୋକ ମାନେ। ଏମିତି ଏକ ଘଟଣା ଘଟିଛି କଟକ ଜିଲ୍ଲା ପୁରୀଘାଟ ଥାନା ଅଞ୍ଚଳରେ। ପ୍ରେରଣା ଭାନି ନାମକ ଜଣେ ମହିଳା ପେଶା ରେ ସ୍କୁଲ୍ ଶିକ୍ଷୟତ୍ରୀ। ଗତ ମାସ ରେ ସେ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଖିଥିଲେ। ସୋସିଆଲ ମିଡିଆ ରେ ଛୋଟ କାମ କରି କିଛି ଅର୍ଥ ଉପାର୍ଜନ କରିହେବ ବୋଲି ସେଥିରେ ଉଲ୍ଲେଖ ଥିଲା। ଏଥିରେ ସେ ମଧ୍ୟ ଆଗ୍ରହ ଦେଖାଇଥିଲେ। ଏହା ପରେ ତାଙ୍କୁ ଏକ ହୁଆଟସଅପ୍ ଗ୍ରୁପ ରେ ଯୋଡ଼ି ଅନଲାଇନ ରେ ସେଆର, ଲାଇକ କରିବାର କାମ ଦିଆଗଲା। ପ୍ରଥମେ କିଛି ଅର୍ଥ ବି ମିଳିଲା ତାଙ୍କୁ। ଆଗକୁ ଅଧିକ ରୋଜଗାର ପାଇଁ କିଛି ଅର୍ଥ ନିବେଶ କରିବାକୁ ପଡିବ ବୋଲି କୁହାଗଲା। ଏଥିରେ ମଧ୍ୟ ସେ ସଫଳ ହେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଯାହା ଅର୍ଥ ନିବେଶ କରିଥିଲେ ତାହା ଫେରସ୍ତ ପାଇଥିଲେ। ପରେ ମୋଟା ଅଙ୍କର ଅର୍ଥ ଫେରସ୍ତ ପାଇବାକୁ ଅଧିକ ରୁ ଅଧିକ ଅର୍ଥ ନିବେଶ କରି ଚାଲିଲେ। ଏପରିକି ସେ ପ୍ରାୟ ୩ ଲକ୍ଷ ୯୦ହଜାର ଟଙ୍କା ଅର୍ଥ ନିବେଶ କରିଦେଲେ। ଯେତେ ବେଳେ ଟଙ୍କା ଫେରସ୍ତ ସମୟ ହେଲା ସେତେବେଳେ ଆଉ କେହି ଶୁଣି ନଥିଲେ। ବାରମ୍ବାର ଅନୁରୋଧ କଲେ ମଧ୍ୟ କିଛି ଉତ୍ତର ଆସିଲାନାହିଁ। ନିରୁପାୟ ହୋଇ ଶେଷରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ କହିଛନ୍ତି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ