ନୂଆପଡାରେ ଜିଲ୍ଲା ସଡକ ସୁରକ୍ଷା ବୈଠକ: ଟ୍ରାଫିକ ଓ ସୁରକ୍ଷା ପାଇଁ କଡା ନିଷ୍ପତ୍ତି
ନୂଆପଡା, ୨୨/୦୪ ( ପରମେଶ୍ୱର ମେହେର ) : ଆଜି ଜିଲ୍ଲାପାଳ, ନୂଆପଡାଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟିର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବହୁଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥଲା । ବିଶେଷ କରି ଏକତା ଛକ ରେ ସୁଗମ ଟ୍ରାଫିକ ବ୍ୟବସ୍ଥା, ଭେରା ଛକ, ଗାୟତ୍ରୀ ମନ୍ଦିର ଛକ, ସିର୍ତ୍ତୋଲ ଗ୍ରାମ ଛକ ମାନଙ୍କରେ ତଥା ଜିଲ୍ଲାର ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ରାଜପଥ ସହ ସଂଯୁକ୍ତ ହେଉଥିବା ରାସ୍ତାଗୁଡିକରେ ବେଗନିରୋଧକ ସ୍ଥାପନା, ଏକତା ଛକ, ରେଲୱେ ଫାଟକ ଆଦି ସ୍ଥାନମାନଙ୍କରେ ଅପେକ୍ଷାରତ ଯାତ୍ରୀ ମାନେ ଖରାତାପ ରୁ ରକ୍ଷା ପାଇବା ପାଇଁ ସେଡ ନିର୍ମାଣ, ଜାତୀୟ ରାଜପଥରେ ଯଥେଷ୍ଟ ପରିମାଣରେ ସଡକ ସୁରକ୍ଷା ସମ୍ବନ୍ଧୀୟ ସଂକେତ ଫଳକ ସ୍ଥାପନା, ବେଗନିରୋଧକ ନିର୍ମିତ ସ୍ଥାନମାନଙ୍କରେ ସ୍ପଷ୍ଟ ଦୃଶ୍ୟମାନ ଧଳା ରଙ୍ଗ ଲେପନ, ଆବଶ୍ୟକ ସ୍ଥଳେ ରାସ୍ତା ମରାମତି ଆଦି କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ସ୍ଥାପନା ହେବାକୁ ଥିବା 10 ଟି ହେଲମେଟ ହବ ଆସନ୍ତା ମେ ମାସ 6 ତାରିଖରେ ଶୁଭାରମ୍ଭ ହେବ । ହେଲମେଟ ହବ ସମ୍ବନ୍ଧୀୟ ବିଶେଷ ବିବରଣୀ ଆସନ୍ତା 28 ତାରିଖ ପରେ ଜଣା ପଡିବ । ଏଥିପାଇଁ ନୂଆପଡା ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ପରିଚାଳକ 50 ଗୋଟି ହେଲମେଟ ଦାନ କରିଥିବାରୁ ଜିଲ୍ଲାପାଳ ତାଙ୍କୁ ବୈଠକରେ ସମ୍ମାନିତ କରିଥିଲେ । ସେହିପରି ଖରିଆର ରୋଡ଼ ର ମନୋଜ ଡାଗା ଓ ସଂଜୁ ସୋନିଙ୍କୁ ଗୁଡ଼ ସାମାରିଟାନ ହିସାବରେ ପ୍ରମାଣପତ୍ର, ଉପଢୌକନ ସହ 2000 ଟଙ୍କା ର ପ୍ରୋତ୍ସାହନ ରାଶି ଚେକ ଆକାରରେ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବିନା ହେଲମେଟ ରେ ଦୁଇଚକିଆ ଗାଡିମାନଙ୍କୁ ପେଟ୍ରୋଲ। ନ ଦେବା ପାଇଁ ଜିଲ୍ଲାପାଳ ଶକ୍ତ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ର କର୍ମଚାରୀମାନେ ବାଧ୍ୟତାମୂଳକ ହେଲମେଟ ବ୍ୟବହାର କରିବେ ଏବଂ ଏହି ମର୍ମରେ କାର୍ଯ୍ୟାଳୟ ମୂଖ୍ୟ ମାନେ ପ୍ରତିମାସରେ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ଦାଖଲ କରିବେ । ଏତଦ୍ ବ୍ୟତୀତ ଅନ୍ୟାନ୍ୟ ସଡକ ସୁରକ୍ଷା ନିୟମ ପାଳନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।