Hot Posts

6/recent/ticker-posts

ସିନାପାଲି ଉଦନ୍ତୀ ନଦୀ କୂଳରେ ଆଜିଠାରୁ ଭବ୍ୟ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ସିନାପାଲି, ୨୨/୦୪ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ଉଦନ୍ତୀ ନଦୀ କୂଳରେ ନବନିର୍ମିତ ଭବ୍ୟ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି l ଆଗାମୀ ପାଞ୍ଚଦିନ ବ୍ୟାପି ହେବାକୁଥିବା ଏହି ଧାର୍ମିକ ସମାରୋହ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ସାରା ଅଂଚଳ ଉତ୍ସବମୁଖର ହୋଇପଡିଛି l ଗୁରୁବାର ଏକ ବିରାଟ କଳସ ଶୋଭାଯାତ୍ରା ମାଧ୍ୟମରେ ଏହି ଉତ୍ସବର ଶୁଭାରମ୍ଭ ହେବାକୁଥିବା ବେଳେ ଏହି ଅବସରରେ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନଯଜ୍ଞ ଆଦି ସହ ନୂତନ ମନ୍ଦିରର ଗର୍ଭାଧାନ, ରୁଦ୍ରାଭିଷେକ, ଷୋଡଶଉପଚାର, ଚଣ୍ଡୀପାଠ, ସୂର୍ଯ୍ୟପୂଜା, ବିଗ୍ରହଙ୍କ ନଗର ପରିକ୍ରମା, ଧ୍ବଜାରୋହଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିସହ ମନ୍ଦିର କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ବୈଠକୀ କୀର୍ତନ ମୁଖ୍ୟ ଆକର୍ଷଣ ରହିବ l ବୈଠକୀ କୀର୍ତନର ପଶ୍ଚିମ ଓଡିଶା ପ୍ରସିଦ୍ଧ ଗାୟକଗାୟିକା ପ୍ରଦୀପ ସାହୁ, ବିଜ୍ଞସୀ ବାରିକ, ଦେବକୀ ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଲୋକ ତଥ୍ୟ ଅନୁସାରେ ପ୍ରାୟ ୧୯୪୦ ମସିହା ବେଳକୁ ଧର୍ମପ୍ରାଣ ଶିବଭକ୍ତ ଧନୁ ମେହେର ନିଜସ୍ୱ ପ୍ରୟାସରେ ଏଠାକାର ଏକ ଗଛ ମୂଳରେ ଉଭୟ ସିନାପାଲି ଓ କାପସି ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ଚେଷ୍ଟାରେ ପୂଜା ପାଇ ଆସୁଥିବା ଶିବ ଭଗବାନଙ୍କ ପାଇଁ ଏକ ଗୁଡ଼ି ତିଆରି କରିଥିଲେ ଯାହା ମହାଦେବଗୁଡ଼ି ଭାବରେ ଅଦ୍ୟବଧି ଏଠିକାର ଲୋକଙ୍କ ବିଶ୍ୱାସର ପ୍ରତୀକ ହୋଇ ରହିଆସିଥିଲା l ସେତେବେଳେ କାପସି ଗ୍ରାମର ପୂଜକ ସୌଦାଗର ଦାସ ଏହାର ପୂଜା ଦାୟିତ୍ୱ ନେଇଥିଲେ l ପରେ ଗତ ୨୦୧୬ରେ ସେତେବେଳର ସରପଞ୍ଚ ସତ୍ୟବାନ ମେହେର ଓ ସ୍ଥାନୀୟ କିଛି ଭଦ୍ର ବ୍ୟକ୍ତିଙ୍କ ଉଦ୍ୟମ କ୍ରମେ ସ୍ବର୍ଗତ ମୋହନ ମେହେରଙ୍କ ପତ୍ନୀ ଯମୁନା ମେହେର ଦାନ ଦେଇଥିବା ଭୂମିରେ ସର୍ବସାଧାରଣଙ୍କ ସହଯୋଗରେ ନୂତନ ମନ୍ଦିର ନିର୍ମାଣ ନିମନ୍ତେ ପ୍ରୟାସ ଆରମ୍ଭ ହୋଇଥଲା l ଆଜି ଏଭଳି ଭବ୍ୟ ଓ ଆକର୍ଷଣୀୟ ଶିବ ମନ୍ଦିର ପ୍ରତିଷ୍ଠାକୁ ନେଇ ସାରା ଅଞ୍ଚଳ ଚଳଚଞ୍ଚଳ ହୋଇ ପଡିଛି l