ଭବାନୀପାଟଣା, ୩୦/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା-ଖଡ଼ିଆଳ ମୁଖ୍ୟ ରାସ୍ତାର ତୁରକେଲ ତେଲ ନଦୀ ଉପରେ ଥିବା ଜୀର୍ଣ୍ଣ ଓ ବିପଦସଙ୍କୁଳ ସେତୁର ପୁନର୍ନିର୍ମାଣ ଦାବୀ ନେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ଦ୍ୱାରା ଚାଲିଥିବା ଗଣ ଧାରଣା ଆଜି ଚତୁର୍ଥ ଦିନରେ ପ୍ରବେଶ କରିଛି। ପ୍ରଶାସନର ଦୀର୍ଘଦିନର ଅବହେଳା ଓ ମିଥ୍ୟା ପ୍ରତିଶ୍ରୁତିକୁ ବିରୋଧ କରି ଆନ୍ଦୋଳନ ଦିନକୁ ଦିନ ତୀବ୍ର ରୂପ ଧାରଣ କରୁଛି। ସଦର ବିଧାୟକ ସାଗର ଚରଣ ଦାସଙ୍କ ଆହ୍ୱାନ କ୍ରମେ, ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାୟକଙ୍କ ନେତୃତ୍ୱରେ ଗତ ସୋମବାରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣ ଧାରଣା ଆରମ୍ଭ ହୋଇଛି। ଆଜି ଚତୁର୍ଥ ଦିନରେ ନିଜେ ବିଧାୟକ ଶ୍ରୀ ଦାସ ଧାରଣାରେ ବସି ଆନ୍ଦୋଳନକୁ ଅଧିକ ତୀବ୍ର କରିଥିଲେ। ଏହି ଧାରଣାରେ ପୂର୍ବତନ ବିଧାୟକ ଓ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ପୂର୍ବତନ ସଭାପତି ଜୟଦେବ ନାୟକ, ବରିଷ୍ଠ ନେତା ଉଚ୍ଛବ ସାହୁ, ଧନୁର୍ଦ୍ଧର ଗହୀର, ବ୍ରଜ ସାହୁ, ଇନ୍ଦ୍ରଜିତ୍ ମହାକୁଡ, ସୁଦର୍ଶନ ବିଶ୍ୱାଳ, ନୀମାଞ୍ଚଳ ନାୟକ, ଗଣପତି ନାୟକ, ସିଦ୍ଧାର୍ଥ ନାୟକ, ମହମ୍ମଦ ସାହେବ, ଚିତରଞ୍ଜନ ନିଆଲ, ସୁବାଷ ପ୍ରଧାନ, ଭାଗବତ ଲାଲ, ବାବା ଖାନ, ଲିଙ୍ଗରାଜ ନାୟକ, ଆନ୍ଦ୍ରୀୟ ଦୀପ, ସୁକାନ୍ତ ବିଶି, ଦ୍ରୌପଦୀ ମାଝୀ, ମନ୍ଦାକିନୀ ବାଣୁଆ, ଶୁକାନ୍ତି ସରାଫ, ସନ୍ତୋଷ ପ୍ରଧାନଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଗତ ଡିସେମ୍ବର ମାସରେ ମଧ୍ୟ ଏହି ସେତୁ ନିର୍ମାଣ ଦାବୀରେ ତୁରକେଲ ଗାଁରେ ଧାରଣା ହୋଇଥିଲା। ସେତେବେଳେ ସାତ ଦିନ ମଧ୍ୟରେ କାମ ଆରମ୍ଭ କରିବାକୁ ପ୍ରଶାସନ ଓ ପୂର୍ତ୍ତ ବିଭାଗ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଠ ମାସ ଅତିତ ହେଲେ ମଧ୍ୟ ନିର୍ମାଣ କାମର କୌଣସି ଚିହ୍ନ ଦେଖିବାକୁ ମିଳୁନି, ଯାହା ପ୍ରଶାସନର ଅସଚେତନତାକୁ ପ୍ରକାଶ କରୁଛି। ଏହି ସେତୁ ଅକାର୍ଯ୍ୟକ୍ଷମ ହେବାରୁ ଭବାନୀପାଟଣାରୁ ଛତିଶଗଡର ରାୟପୁର ପର୍ଯ୍ୟନ୍ତ ଯାତାୟାତ ଭାରି ପ୍ରଭାବିତ ହୋଇଛି। ବ୍ୟବସାୟ ବାଣିଜ୍ୟ ଠପ୍ ପଡ଼ିଥିବା ବେଳେ, ଆମ୍ବୁଲାନ୍ସ ସୁବିଧା ନ ମିଳିବାରୁ ଜରୁରୀ ଚିକିତ୍ସା ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି ଓ ଦିନଚର୍ଯ୍ୟା ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଧାୟକ ଶ୍ରୀ ଦାସ ଏହି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନେକଥର ଦାବୀ ଉଠାଇଥିବା ସତ୍ତ୍ୱେ ମଧ୍ୟ ସ୍ପଷ୍ଟ ପଦକ୍ଷେପ ନ ନେଇଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଥମ ଟେଣ୍ଡର ବାତିଲ ହେବା ପରେ ନୂତନ ଟେଣ୍ଡର ପ୍ରକ୍ରିୟା କେବେ ହେବ, ସେନେଇ ପ୍ରଶାସନ ନିରବ ରହିଥିବା ଆନ୍ଦୋଳନକୁ ଆହୁରି ତୀବ୍ର କରିଛି। ଏବେ ପ୍ରଶ୍ନ— ପ୍ରଶାସନ କେବେ ସଚେତନ ହେବ? ତୁରକେଲ ସେତୁ ନିର୍ମାଣ କେବେ ଆରମ୍ଭ ହେବ? ନା ଲୋକଙ୍କ ଦୁଃଖ କଷ୍ଟ ଏଭଳି ଚାଲିଥିବ? ଆଗାମୀ ଦିନରେ ଏହି ଆନ୍ଦୋଳନ କେଉଁ ଦିଗକୁ ଯିବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
