ଜିଲ୍ଲା କନିଷ୍ଠ କିରାଣୀ ସଂଘର ସପ୍ତମ ଅଧିବେଶନ: ଦାବୀ ପୂରଣ ପାଇଁ ସରକାରଙ୍କୁ କଠୋର ସନ୍ଦେଶ
ଖଜୁରୀପଡ଼ା, ୨୧/୦୩ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ନୂତନ ଅନୁଦାନ ପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ କନିଷ୍ଠ କିରାଣୀ ସଂଘ, କନ୍ଧମାଳର ସପ୍ତମ ସମୂହ ଅଧିବେଶନ ଆୟୋଜିତ ହୋଇଯାଇଛି। ଏହି ଅଧିବେଶନରେ ଜିଲ୍ଲା ସଭାପତି ଶ୍ରୀ ଖଗେଶ୍ବର ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ନାୟକ, ସମ୍ପାଦକ ଶ୍ରୀ କୁମୁଦ ଚନ୍ଦ୍ର ପ୍ରଧାନ ସହିତ ଜିଲ୍ଲାର ସମସ୍ତ କନିଷ୍ଠ କିରାଣୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ସଭାପତି ଶ୍ରୀ ପ୍ରକାଶ କୁମାର ପ୍ରଧାନ ଓ ମୂଖ୍ୟ ଉପଦେଷ୍ଟା ଶ୍ରୀ ସୁଧାଂଶୁ ପ୍ରଧାନ ଯୋଗଦେଇ କର୍ମଚାରୀଙ୍କ ସମସ୍ୟା ଉପରେ ମତ ପ୍ରକାଶ କରିଥିଲେ।ଅଧିବେଶନରେ କନିଷ୍ଠ କିରାଣୀମାନଙ୍କ ବିଭିନ୍ନ ଦୀର୍ଘଦିନର ଦାବୀ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଧାନ ଦାବୀମାନଙ୍କ ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା ଓ ବରିଷ୍ଠତା ଆଧାରରେ Level-9 ଓ Grade Pay-୪,୨୦୦/- କୁ ବୃଦ୍ଧି, ୪୮ ବର୍ଷରେ ଦୁଇଟି Level ପଦୋନ୍ନତି, ଉଚ୍ଚଶିକ୍ଷା ଓ ବିଭାଗୀୟ ପରୀକ୍ଷାର ସାର୍ବଜନୀନ ସୁବିଧା, HRMS ରେ ‘କନିଷ୍ଠ ସହାୟକ’ ଭାବେ ପଦବୀ ଅଦ୍ୟତନ, GA & PG ବିଭାଗର ଅନୁଶାସନରେ ଅନ୍ତର୍ଭୁକ୍ତି ଏବଂ ଅବସର ପରେ ଅତିଥି ସହାୟକ ଭାବେ ପୁନଃନିଯୁକ୍ତି ଆଦି ରହିଛି। ସଂଘ ପକ୍ଷରୁ ଏହି ସମସ୍ତ ଦାବୀ ପୂରଣ ପାଇଁ ଆଗାମୀ ଦିନରେ ସରକାରଙ୍କ ନିକଟରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଛି। ବୈଠକର ସୁଚାରୁ ପରିଚାଳନାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବାରିକ ସହିତ ସମସ୍ତ କର୍ମଚାରୀଙ୍କ ଅବଦାନ ପ୍ରଶଂସନୀୟ ରହିଥିଲା। ଏହାସହ ଶ୍ରୀ ଅମରେଶର ଦୟାଲ ସାହୁ, ଶ୍ରୀ ଶଙ୍କର୍ଷଣ ଯାନୀ ଓ ଶ୍ରୀ ବିଶ୍ୱମ୍ବର କହଁରଙ୍କ ସକ୍ରିୟ ସହଯୋଗରେ ଅଧିବେଶନଟି ସଫଳ ଭାବେ ସମାପ୍ତ ହୋଇଥିଲା।