ଫୁଲବାଣୀ ଜିଲା କୋର୍ଟକୁ ବୋମା ଧମକ, ସୁରକ୍ଷା ବଢ଼ିଲା – ତଦନ୍ତ ଜାରି
ଫୁଲବାଣୀ, ୬/୨ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ଜିଲା ଦୌରା ଜଜ୍ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ କୋର୍ଟ ପରିସରରେ ଆତଙ୍କ ଓ ଚଞ୍ଚଳତା ସୃଷ୍ଟି ହୋଇଛି। ଇ-ମେଲ୍ ମାଧ୍ୟମରେ ଏହି ଧମକ ଆସିଥିବା ସୂଚନା ମିଳିଛି। ଘଟଣାର ଖବର ପାଇ ପୁଲିସ, ବମ୍ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସଂପୂର୍ଣ୍ଣ କୋର୍ଟ ପରିସରରେ ତଲାସି ଅଭିଯାନ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ଦିନ କୋର୍ଟ କାର୍ଯ୍ୟ ଆରମ୍ଭ ହେବାର ପ୍ରାୟ ୧୦ରୁ ୧୫ ମିନିଟ୍ ମଧ୍ୟରେ ଏହି ବୋମା ଧମକ ମିଳିଥିଲା। ଧମକ ମିଳିବା ସହିତ କୋର୍ଟ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଇଥିଲା। ଆଇନଜୀବୀ ଓ ସାଧାରଣ ଲୋକମାନେ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସର ଛାଡ଼ି ବାହାରକୁ ଯାଇଥିଲେ। ଘଟଣାକୁ ଗୁରୁତ୍ୱ ଦେଇ ପୁଲିସ କୋର୍ଟ ପରିସରକୁ ଛାଉଣୀରେ ପରିଣତ କରି ସୁରକ୍ଷା ବ୍ୟବସ୍ଥା କଡା କରିଛି। ସମ୍ପୂର୍ଣ୍ଣ ଅଞ୍ଚଳରେ ତଲାସି ଅଭିଯାନ ଜୋରଦାର ଭାବରେ ଚାଲିଛି ଏବଂ ଧମକ ଇ-ମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଏପରି ଘଟଣାକୁ ନିନ୍ଦା କରି ଆଇନଜୀବୀମାନେ କହିଛନ୍ତି ଯେ, ଯେଉଁମାନେ ଏଭଳି ଧମକ ଦେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରାଯାଇଛି।