ସାଇନ ବୋର୍ଡ କହୁଛି ରାସ୍ତା ହୋଇଛି, ଲୋକ କହୁଛନ୍ତି ରାସ୍ତା କେଉଁଠି?"* ଏଚ ଡି ଏଫ ସି ବ୍ୟାଙ୍କରୁ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି, କିନ୍ତୁ ସ୍ଥାନୀୟଙ୍କ କହିବା କଥା— “ଗୋଟିଏ ବି ଇଟା ପଡ଼ିନାହିଁ”
ମାଲକାନଗିରି, ୩୧/୦୫ ( ଶ୍ରୀ ଶରତ ଚନ୍ଦ୍ର ଖରା ) : ମାଲକାନଗିରି ପୌରାଞ୍ଚଳର ୧୮ ନମ୍ବର ୱାର୍ଡ ନୂଆଗୁଡ଼ା ଅଞ୍ଚଳରେ ଏକ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ମାଲକାନଗିରି ମୁନିସିପାଲିଟି ପକ୍ଷରୁ ସ୍ଥାପିତ ଏକ ସୂଚନା ଫଳକରେ ଏଚ ଡି ଏଫ ସି ବ୍ୟାଙ୍କରୁ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ଫାଇବର ରୋଡ଼ ନିର୍ମାଣ ପାଇଁ ୧୧ ଲକ୍ଷ ୯୨ ହଜାର ୨୩୬ ଟଙ୍କା ବ୍ୟୟରେ କାମ ଅନୁମୋଦନ ହୋଇଥିବା ଉଲ୍ଲେଖ ରହିଛି। ଫଳକରେ ଦର୍ଶାଯାଇଥିବା ସୂଚନା ଅନୁସାରେ, ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୯୫ ହଜାର ୯୦୮ ଟଙ୍କା ଥିବା ବେଳେ ଠିକା ମୂଲ୍ୟ ୧୧ ଲକ୍ଷ ୯୨ ହଜାର ୨୩୬ ଟଙ୍କା ରହିଛି। କାମଟି ୨୦୨୩-୨୪ ଆର୍ଥିକ ବର୍ଷର ଏସ ଏଫ ସି /ସି ଏଫ ସି ଗ୍ରାଣ୍ଟ ଅଧୀନରେ ଅନୁମୋଦିତ ହୋଇଥିବା ସହ ୧୫ ଅକ୍ଟୋବର ୨୦୨୪ରେ ଆରମ୍ଭ ହୋଇଥିବା ଉଲ୍ଲେଖ ରହିଛି। କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ରାସ୍ତାରେ ଫାଇବର ରୋଡ଼ ନିର୍ମାଣ ହୋଇଥିବା ଦର୍ଶାଯାଇଛି, ସେଠାରେ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣର କୌଣସି ଦୃଶ୍ୟମାନ ଚିହ୍ନ ନାହିଁ। “ଗୋଟିଏ ଇଟା ମଧ୍ୟ ପଡ଼ିନାହିଁ, କିନ୍ତୁ ବୋର୍ଡରେ କାମ ସମ୍ପନ୍ନ ଭଳି ତଥ୍ୟ ରହିଛି,” ବୋଲି କେତେକ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଜାତୀୟ ରାଜପଥ -୩୨୬ ସଂଲଗ୍ନ ଏହି ବସ୍ତିରେ ଦୈନିକ ଅନେକ ଲୋକ ଯାତାୟାତ କରୁଥିବା ବେଳେ ରାସ୍ତା ସମସ୍ୟା ଦୀର୍ଘଦିନ ଧରି ରହିଥିବା ସେମାନେ କହିଛନ୍ତି। ତେଣୁ ପ୍ରକଳ୍ପ ପାଇଁ ଅନୁମୋଦିତ ଅର୍ଥର ବ୍ୟବହାର ଏବଂ ପ୍ରକୃତରେ କାମ ହୋଇଛି କି ନାହିଁ, ସେନେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି ଉଠିଛି। ଏହି ଘଟଣାରେ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କ ଦୃଷ୍ଟି କେବେ ପଡ଼ିବ ଓ ପ୍ରକୃତ ସ୍ଥିତି ସାମ୍ନାକୁ ଆସିବ, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।