ବିଜୁ ସ୍ୱାଭିମାନ ମଞ୍ଚ ର ସାଧାରଣ ସଭା
ରାୟଗଡ଼ା, ୨୯/୦୫ ( ଭି. ଗୌରି ଶଙ୍କର ରାଓ ) : ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାୟଗଡା ବିଜୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ରଣନୀତି ପ୍ରସ୍ତୁତି ଆରମ୍ଭ ହୋଇଛି। ଗାଁ ସ୍ତରରେ ସଂଗଠନକୁ ଶକ୍ତିଶାଳୀ କରିବା ସହ ଜନସମ୍ପର୍କ ବଢ଼ାଇବାକୁ ନେତୃତ୍ୱ ଗୁରୁତ୍ୱ ଦେଇଛି। ଆଉ ବିଜେପି, ବିଜେଡି, କଂଗ୍ରେସ ଭଳି ତିନୋଟି ମୁଖ୍ୟ ରାଜନୈତିକ ଦଳକୁ ଟକ୍କର ଦେବା ପାଇଁ ଆଜିଠୁ ରାୟଗଡା ରାଜନୀତିରେ ନିର୍ବାଚନ ଉଷ୍ମତା ଆରମ୍ଭ କରିଛି ବିଜୁ ସ୍ୱାଭିମାନ ମଞ୍ଚ | ପ୍ରଥମ କରି ଜିଲ୍ଲାର କୋଲନରା ବ୍ଲକ ସଦର ମହକୁମାରୁ ଆଜି ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ରାଲି ଅମ୍ଲାଭଟ୍ଟା ସ୍ଥିତ ଶ୍ରୀକ୍ଷେତ୍ର ଟାଉନସିପ ପରିସର ପଡ଼ିଆରେ ପହଞ୍ଚିବା ପରେ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି | ମଞ୍ଚର ଆବାହକ ତଥା ସଭାପତି ବରିଷ୍ଠ ନେତା ଏନ. ଭାସ୍କର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶ ତଥା ସାଧାରଣ ସଭାରେ ପୂର୍ବତନ ମନ୍ତ୍ରୀ ଲାଳବିହାରୀ ହିମିରିକା,ବରିଷ୍ଠ ଆଦିବାସୀ ନେତ୍ରୀ ବାମୁଣୀ ମିନିୟାକା, ଚନ୍ଦ୍ରକାନ୍ତ ସାମଲ, ବାନାଗଡି ତିରୁପତି, ଶ୍ରମିକ ନେତା ନିରଞ୍ଜନ ପାତ୍ର, ଦୁଡଲା ଶ୍ରୀନିବାସ ରାଓ, ହର ପ୍ରସାଦ ହେପୃକାଙ୍କ ସମେତ ସ୍ଥାନୀୟ କୋଲନରା ବ୍ଲକର ସମର୍ଥିତ ଜନ ପ୍ରତିନିଧି, ବରିଷ୍ଠ ନେତା କର୍ମୀମାନେ ଉପସ୍ଥିତ ରହିଥିଲେ | ମଞ୍ଚ ଗଠନର ଆଭିମୁଖ୍ୟ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଞ୍ଚ ପକ୍ଷରୁ ଯୋଗ୍ୟ ପ୍ରାର୍ଥୀ ଦିଆଯିବ ବୋଲି ଲାଲ ବିହାରୀ ହିମିରିକା ପ୍ରକାଶ କରିଥିଲେ | ସମାବେଶରେ ମଞ୍ଚାସିନ ନେତୃମଣ୍ଡଳୀ ବିଜୁ ସ୍ୱାଭିମାନ ମଞ୍ଚର ସଭାପତି ଭାସ୍କର ରାଓଙ୍କ ନେତୃତ୍ୱ, କାର୍ଯ୍ୟ ଦକ୍ଷତା, ସାଙ୍ଗଠନିକ ଦକ୍ଷତାକୁ ବଖାଣିଥିଲେ |ସେହିପରି ସମାବେଶରେ ଦଳୀୟ କର୍ମୀ, ଯୁବ ଓ ମହିଳା ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେଇ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଏବଂ ନିର୍ବାଚନରେ ବିଜୟ କରିବାକୁ ସଂକଳ୍ପ ନେଇଥିଲେ | ଆୟୋଜିତ ସମାବେଶରେ ପଞ୍ଚାୟତ ନିର୍ବାଚନକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ଗାଁ ଓ ୱାର୍ଡରେ କର୍ମୀମାନଙ୍କୁ ସକ୍ରିୟ କରି ଲୋକଙ୍କ ନିକଟକୁ ପହଞ୍ଚିବା ପାଇଁ ଯୋଜନା ପ୍ରସ୍ତୁତ ହେବ ଏବଂ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଆଗକୁ ବଢ଼ିବାକୁ ସଭାପତି ଭାସ୍କର ରାଓ ଆହ୍ୱାନ ଦେଇଥିଲେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ରଣନୀତି ବୈଠକ ସଂଗଠନକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି କର୍ମୀମାନେ ଆଶା ପ୍ରକାଶ କରିଛନ୍ତି | ବିଶାଳ ସମାବେଶ ମଧ୍ୟରେ ଆୟୋଜିତ ବିଜୁ ସ୍ୱାଭିମାନ ମଞ୍ଚ ସମାବେଶ ଅଞ୍ଚଳର ରାଜନୈତିକ ପରିବେଶକୁ ଆହୁରି ସକ୍ରିୟ କରିଥିବା ଦେଖିବାକୁ ମିଳିଛି |