ରାୟଗଡ଼ ପୌରପରିଷଦ ପକ୍ଷରୁ ‘ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ୍’ (RRR) କେନ୍ଦ୍ର ଉଦଘାଟନ ।
ରାୟଗଡ଼ା, ୨୬/୦୧ ( ଭି. ଗୌରି ଶଙ୍କର ରାଓ ) : ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାୟଗଡ଼ ପୌରପରିଷଦ ପକ୍ଷରୁ ସହରବାସୀଙ୍କ ପାଇଁ ଏକ ଅଭିନବ ସେବା କେନ୍ଦ୍ର ଉତ୍ସର୍ଗ କରାଯାଇଛି। ସହରର ଆହାର କେନ୍ଦ୍ର ନିକଟରେ ଏକ ‘ରିଡ୍ୟୁସ୍, ରିୟୁଜ୍ ଏବଂ ରିସାଇକେଲ’ (RRR) କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି।ଏହି କେନ୍ଦ୍ରକୁ ରାୟଗଡ଼ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର, ଉପାଧକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ସମସ୍ତ ପାରିଷଦ ବର୍ଗ, ପରିମଳ ବିଶେଷଜ୍ଞ ଶ୍ରୀ ବିନୟ ବିକ୍ରମ ପରିଛା, ସ୍ବଚ୍ଛ ସାଥି , ସ୍ବଚ୍ଛ ସୁପରଭାଇଜର ଏବଂ ପୌରପାଳିକାର କର୍ମଚାରୀମାନେ ଉପସ୍ଥିତ ଥିଲେ।ଏହି କେନ୍ଦ୍ରର ମୁଖ୍ୟ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ପାଖରେ ଥିବା ଅଦରକାରୀ ତଥା ବ୍ୟବହାରଯୋଗ୍ୟ ସାମଗ୍ରୀକୁ ସଂଗ୍ରହ କରି ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା। ଏହାଦ୍ୱାରା ପରିବେଶ ପ୍ରଦୂଷଣ କମିବା ସହ ସମାଜର ନିମ୍ନ ବର୍ଗର ଲୋକେ ଉପକୃତ ହୋଇପାରିବେ। ସହରବାସୀ ଏହି କେନ୍ଦ୍ରରେ ପୋଷାକ ଓ ଶାଢ଼ୀ, ଚପଲ ଓ ଜୋତା ,ବ୍ୟାଗ୍ ଓ ବ୍ୟବହାରଯୋଗ୍ୟ ପ୍ୟାକେଟ୍ ଖାଦ୍ୟ, ଇଲେକ୍ଟ୍ରୋନିକ୍ ସାମଗ୍ରୀ (ଯାହା କାର୍ଯ୍ୟକ୍ଷମ ଥିବ), ଘରକରଣା ସାମଗ୍ରୀ ଓ ଖେଳନା ଇତ୍ୟାଦି ଦାନ କରିପାରିବେ । ପରିଷଦର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସହରବାସୀଙ୍କୁ ଅନୁରୋଧ କରିଛନ୍ତି ଯେ, ନିଜ ଘରେ ପଡ଼ି ରହିଥିବା ଭଲ ଅବସ୍ଥାରେ ଥିବା ସାମଗ୍ରୀକୁ ଫିଙ୍ଗି ନଦେଇ ଏହି କେନ୍ଦ୍ରରେ ପ୍ରଦାନ କରନ୍ତୁ, ଯାହା ଦ୍ୱାରା ଜଣେ ଅଭାବୀ ମଣିଷର ମୁହଁରେ ହସ ଫୁଟିପାରିବ।