ଜାତୀୟ ସ୍ତର କବାଡି ଖେଳ ପାଇଁ ମନୋନୀତ ହେଲେ ପ୍ରତ୍ୟୁଷା କହଁର ।
କନ୍ଧମାଳ, ୧୦/୦୧ (ଅଚ୍ୟୁତ ଜାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡା ସ୍ଥିତ ପିଏମ ଶ୍ରୀ ବରଡା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରତ୍ୟୁଷା କହଁର ଜାତୀୟ କବାଡି ଖେଳ -୨୦୨୬ ନିମନ୍ତେ ମନୋନୀତ ହୋଇଛନ୍ତି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ପିଏମ ଶ୍ରୀ ବରଡା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ସୁଶ୍ରୀ ପ୍ରତ୍ୟୁଷା କହଁର ଜାତୀୟ କବାଡି ଖେଳ ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ସେ ପ୍ରଥମେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ । ବ୍ଲକ ସ୍ତରୀୟ ପ୍ରତିଯୋଗିତା ଲାଇନ୍ ପଡା ପିଏମ ଶ୍ରୀ ବରଡା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସଫଳତା ହାସଲ କରି ଜିଲ୍ଲା ସ୍ତରୀୟ ଫୁଲବାଣୀ ସ୍ଥିତ ମିନି ଷ୍ଟାଡିୟମରେ ଖେଳି ଯୋଗ୍ୟତା ହାସଲ କରି ସୁନ୍ଦର ଗଡର ବନାଇ ଠାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗନେଇ ଶେଷରେ ଜାତୀୟ ସ୍ତରୀୟ କବାଡି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ସେ କୁସୁମେଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗୁଣାକୁମ୍ପା ଗ୍ରାମର ପିତା ସିଘ୍ନେଶ୍ୱର କହଁର ଓ ମାତା ଶ୍ରୀମତୀ ଲବଙ୍ଗୀ କହଁରଙ୍କ ସୁପୁତ୍ରୀ । ତାଙ୍କର ସଫଳତା ଖବର ପାଇ ଅଞ୍ଚଳର ଜନସାଧାରଣ ଓ ବୁଦ୍ଧିଜୀବି ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି । ସେ ଆସନ୍ତା - ୧୯/୦୧/୨୦୨୬ ରିଖଠାରୁ ତା-୨୩/୦୧/୨୦୨୬ ରିଖ ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ୬୯ତମ ଜାତୀୟ ବିଦ୍ୟାଳୟ କବାଡି ଖେଳିବା ପାଇଁ କାର୍ଯ୍ୟସୂଚୀ ଥିବା ବେଳେ ଅଭ୍ୟାସ ଶିବିର ସୁନ୍ଦରଗଡ଼ରେ ଯୋଗ ଦେବା ପାଇଁ ଶନିବାର ଯାତ୍ରା କରିଛନ୍ତି ତାଙ୍କର ସାଥୀରେ କୋଚ୍ ସୁଶିଲ କୁମାର କହଁର ମଧ୍ୟ ଯାଇଛନ୍ତି ଅଭ୍ୟାସ ପରେ ଆନ୍ଧ୍ରପ୍ରଦେଶର ଗୁଡିବାଡା ଯାତ୍ରା କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି । ମନୋନୀତ ହେବା ଖବର ପାଇ ପିଏମ ଶ୍ରୀ ବରଡା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ସାହାଣୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଠାରେ ପିତା ସିଘ୍ନେଶ୍ୱର କହଁର ମାତା ଲବଙ୍ଗୀ କହଁର ଓ ସୁଶ୍ରୀ ପ୍ରତ୍ୟୁଷା କହଁରଙ୍କୁ ଶୁକ୍ରବାର ଦିନ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିକ୍ରମ ବିହାରୀ ବେହେରା, କ୍ରୀଡା ଶିକ୍ଷକ ତଥା କୋଚ୍ ସୁଶିଲ କୁମାର କହଁର, ହିନ୍ଦୀ ଶିକ୍ଷକ ଲକ୍ଷ୍ମୀନାରାୟଣ ପୁରୋହିତ,ସୁଶିଲ କୁମାର ପାରାସେଠ, ବରିଷ୍ଠ ଶିକ୍ଷିକା ଶ୍ରୀମତୀ ମାନିନୀ ପ୍ରଧାନ, ଶ୍ରୀମତୀ ବାସନ୍ତୀ ପ୍ରଧାନ, ବିଜ୍ଞାନ ଶିକ୍ଷକ ଶ୍ରୀତରଣୀ ହରପାଳ, ଶ୍ରୀ ଅନନ୍ତ କୁମାର ମହାକୁଲ, ଶୁଭେନ୍ଦୁ କୁମାର ସିଂ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶ୍ୱିନୀ କୁମାର ପ୍ରଧାନ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ଶ୍ରୀ ରାଜେନ୍ଦ୍ର ନାରାୟଣ ବେହେରା ସମେତ ଅଞ୍ଚଳର ବୁଦ୍ଧିଜୀବୀ, ସମାଜ ସେବୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା ଶିକ୍ଷକ ଲକ୍ଷ୍ମୀନାରାୟଣ ପୁରୋହିତ କରିଥିବା ବେଳେ ଶିକ୍ଷକ ବିକ୍ରମ ବିହାରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।