ନବ ନିର୍ମାଣ କୃଷକ ସଂଗଠନ ତରଫରୁ କଳାହାଣ୍ଡି ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ.
ଭବାନୀପାଟଣା, ୨୮/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଚାଷୀଙ୍କ କଥା କହି ଓଡିଶାରେ ବିଜେପି ସରକାର ଆସିଲା କିନ୍ତୁ ଆଜି ଚାଷୀ ହତାଶ। ରାଜ୍ଯର ଧାନ ମଣ୍ଡିମାନଙ୍କରେ ଅବ୍ୟବସ୍ଥା, ଏଫ.ଏ.କ୍ୟୁ. ନାମରେ ୫କେଜିରୁ ୧୦କେଜି ପର୍ଯ୍ୟନ୍ତ କଟନି ଛଟନି, ବିକ୍ରି ହୋଇଥିବା ଧାନର ଟଙ୍କା ଠିକ୍ ସମୟରେ ଚାଷୀଙ୍କୁ ନ ମିଳିବା, ୧୫୦କ୍ୱିଣ୍ଟାଲର ଅଧିକ ଧାନ ପାଇଁ ଇନପୁଟ୍ ସହାୟତା ୮୦୦ଟଙ୍କା ନ ଦିଆଯିବା, ପ୍ରଦୂଷଣ ନାମରେ ୩୫ଲକ୍ଷ ଲୋକଙ୍କ ଠାରୁ ୧୩୦୦କୋଟି ଟଙ୍କା ଆଦାୟ କରିବା ପାଇଁ ସାଧାରଣ ବ୍ୟକ୍ତିଙ୍କ ଠାରୁ ହଜାର ହଜାର ଟଙ୍କାର ଜୋରିମାନା ନେବା, ବକେୟା ଟଙ୍କା ଆଦାୟ ଆଳରେ ଟାଟା ପାୱାରର ବିଦ୍ଯୁତ ଉପଭୋକ୍ତାଙ୍କ ପ୍ରତି ଜୁଲୁମ, ସ୍ମାର୍ଟ ମିଟର ନାମରେ ଲୋକଙ୍କୁ ଶୋଷଣ କରିବା, ଉପ ମୁଖ୍ଯମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଚାଷୀଙ୍କୁ ନୌଟଙ୍କୀ ଓ ଦଲାଲ କହିବା ଏବଂ ପ୍ରତିବାଦ କଲେ ଗୁଣ୍ଡା ଓ ପୋଲିସ୍ ଲଗାଇ ମାଡ ମାରିବା ବିରୋଧରେ ନବନିର୍ମାଣ କୃଷକ ସଂଗଠନ ଆଜି ସକାଳ ୬ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦେଇଛି। କଳାହାଣ୍ଡି ଜିଲ୍ଲାରେ ମଧ୍ଯ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ନବନିର୍ମାଣ କୃଷକ ସଂଗଠନର କଳାହାଣ୍ଡି ଜିଲ୍ଲା ସଂଯୋଜକ ଲିଙ୍ଗରାଜ ପ୍ରଧାନଙ୍କ ନେତୃତ୍ବରେ ଓ ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳର ସହଯୋଗରେ ଭବାନିପାଟଣା ସ୍ଥିତ ଘୋଡାଘାଟ ବ୍ରିଜ୍ ରାସ୍ତା ଅବରୋଧ କରି ଚକା ଯାମ କରିଥିଲେ। ବସ୍, ଅଟୋ, ଚାରିଚକିଆ ବାହାନ ଚଳାଚଳ, ଦୋକାନ ବଜାର ସ୍ୱପ୍ରବୃତ ଭାବରେ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ପିକେଟିଂ କରି କିଛି ସ୍କୁଲ, ବ୍ୟାଙ୍କ, ଅଫିସ୍ ବନ୍ଦ କରିଥିଲେ। ଏଥିରେ ନବନିର୍ମାଣ ସଂଗଠନର ହେରାମ୍ବ ସେନାପତି, ହିତେଶ ନାଏକ, ବୃନ୍ଦା ନାଏକ, ଗମୟ ରଞ୍ଜନ ନାଏକ, ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସଭାପତି ସୁରେଶ ସଂଗ୍ରାମ, ଲକ୍ଷ୍ମୀନାରାୟଣ ପଣ୍ଡା, ନିରୋଦ କୁମାର ରାଉତ, କବିତା ରାଉତ, ମଧୁଲାଲ ନାଏକ ଓ ପ୍ରଫୁଲ୍ଲ କର, ଜନ ଜାଗରଣ ମଞ୍ଚର ଅଗଷ୍ଟ ନାଏକ ଓ ସୁରେଶ ମାଝୀ, କଂଗ୍ରେସ ଦଳର ଜିଲ୍ଲା ସଭାପତି ଜଳନ୍ଧର ନାଏକ, ସରୋଜ ବାଗ, ମହମ୍ମଦ ସାହେବ, ସନ୍ତୋଷ ପ୍ରଧାନ, ଇନ୍ଦ୍ରଜିତ୍ ମହାକୁଡ଼, ସିଦ୍ଧାର୍ଥ ନାୟକ, ମନ୍ଦାକିନୀ ବାଣୁଆ, ସୁଧାଂଶୁ ବିଶି, ଲକ୍ଷ୍ମିପ୍ରିୟା ନାୟକ, ସୌଭାଗ୍ୟ ମଲ୍କୀକ, ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ସଞ୍ଜୟ ସୁନାନୀ ସହିତ ବିଭିନ୍ନ ଗାଁର ୧୦୦ରୁ ଉର୍ଦ୍ଧ୍ବ ଚାଷୀ, ମହିଳା, ବୁଦ୍ଧିଜିବୀ ସାମିଲ ହୋଇ ବନ୍ଦକୁ ସଫଳ କରିଥିଲେ।