ବିଶିଷ୍ଟ ଶିକ୍ଷାବିତ୍ ବ୍ରଜ କିଶୋର ସାମଲଙ୍କ ସ୍ମୃତି ଚାରଣ ସଭା
ବରୀ, ୨୮/୦୧ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଅନ୍ତର୍ଗତ ଅରିଲୋ ଗ୍ରାମର ବର୍ଷୀୟାନ ମୂରବୀ ତଥା ବିଶିଷ୍ଟ ଶିକ୍ଷାବିତ୍ ସ୍ଵର୍ଗତ ବ୍ରଜକିଶୋର ସାମଲଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ଜନ୍ମ ଭୂମି ଅରିଲୋ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ରଜ କିଶୋର ସ୍ମୃତି ପରିଷଦ ସୌଜନ୍ୟରେ ଅନୁଷ୍ଠିତ ସ୍ମୃତି ସଭାରେ ପ୍ରଫେସର ରାଧାକାନ୍ତ ସାମଲ ଅଧ୍ୟକ୍ଷତା କରିଥିଲେ। ଉକ୍ତ ଉତ୍ସବରେ ବରୀ ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଏବଂ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ସମ୍ପାଦକ ଆଶୁ କବି ହେମନ୍ତ ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ଵର୍ଗତ ସାମଲଙ୍କ ଆଠ ଦଶନ୍ଧିର ଜୀବନ ଦର୍ଶନ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରବୋଧ କୁମାର ସାମଲ , ସାହିତ୍ୟିକ ଗୋବର୍ଦ୍ଧନ ସାମଲ, ଆଡଭୋକେଟ୍ ଅମ୍ବିକା ପ୍ରସାଦ ସାମଲ , ବିଶିଷ୍ଟ ଉଦ୍ୟୋଗପତି ଶ୍ରୀଧର ଦାଶ, ପ୍ରାକ୍ତନ ଆକାଶବାଣୀ ନିର୍ଦ୍ଦେଶକ ଡ଼ଃ ବାସୁଦେବ ସିଂହ,ସ୍ମୃତି ରଞ୍ଜନ ମଲ୍ଲ, କଂଗ୍ରେସ ନେତା ଶିଶିର କୁମାର ନାୟକ, ସମାଜସେବୀ ନିର୍ମଳ କୁମାର ରାଉତ ,ବିରୂପା ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଅଭିଜିତ ବୋଷ, ଡଃ ସୁବ୍ରତ ନାୟକ, ଅଧ୍ୟାପକ ରମେଶ ଚନ୍ଦ୍ର ଜେନା, ଅଧ୍ୟାପିକା ବିନୋଦିନୀ ସାମଲ , ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କନକଲତା ଭଞ୍ଜ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ସାହୁ, ଅନିରୁଦ୍ଧ କୁମାର ସିଂହ ଆଦି ସ୍ୱର୍ଗତ ସାମଲଙ୍କ ଆଦର୍ଶ ଶିକ୍ଷକ ଜୀବନ ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଇତ୍ୟବସରରେ ରାଜଶ୍ରୀ ଓ ଶିଳାଲିପି ସାହିତ୍ୟ ସଂସଦ ସୌଜନ୍ୟରେ ତଥା ସୁନାମଧନ୍ୟ କବି ସୁଶୀଲ ସିଂହଙ୍କ ସମ୍ପାଦନାରେ ପ୍ରକାଶିତ ସ୍ମରଣିକା " ସ୍ମୃତିରେ ବ୍ରଜସାର୍" କୁ ଅତିଥି ମାନେ ଲୋକାର୍ପଣ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ରାମଚଣ୍ଡୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ସେବା ନିବୃତ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସ୍ଵର୍ଗତ ସାମଲଙ୍କ ଶିକ୍ଷା ଦାନ ପଦ୍ଧତି, ବନ୍ଧୁ ବତ୍ସଳତା ଗୁଣାବଳୀ ଏବଂ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଉପରେ ଶ୍ରଦ୍ଧାଳୁ ମାନେ ମତ ବ୍ୟକ୍ତ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଦିବଂଗତ ବ୍ରଜକିଶୋର ସାମଲଙ୍କ ତୈଳ ଚିତ୍ରରେ ସାମୂହିକ ମାଲ୍ୟାର୍ପଣ କରିବା ପରେ ଆତ୍ମାଙ୍କ ସଦ୍ଗତି ପାଇଁ ନୀରବ ପ୍ରାର୍ଥନା ଓ ଗୀତା ପାଠ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭଜନ ଭକ୍ତି ତୀର୍ଥର ପ୍ରତିଷ୍ଠାତା ମାଧବାନନ୍ଦ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ମାନେ ଭକ୍ତି ସଂଗୀତ ପରିବେଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂଚି ସ୍ମିତା ରାଉତ, ଉମାକାନ୍ତ ସାମଲ, ତପନ କୁମାର ଜେନା, ସବିତାରାଣୀ ସାମଲ, ବୀଜୟଲକ୍ଷ୍ମୀ ମଲ୍ଲ , ପ୍ରଜ୍ଞା ପାରମିତା ସାମଲ, ନାରାୟଣ ଚନ୍ଦ୍ର ବଳ , ବାସୁଦେବ ମହାନ୍ତି , ଅଜୟ କୁମାର ସିଂହ, ରେଣୁବାଳା ନାୟକ, ସ୍ଵାଗତ ରାଉତ, ସରୋଜିନୀ ରାଉତ, ନଳିନୀପ୍ରଭା ଜେନା ଓ ରୁଦ୍ର ପ୍ରସାଦ ସାମଲ ଆଦି ସ୍ମୃତି ଚାରଣ କରିଥିବାବେଳେ ବଡ଼ପୁଅ ରମାକାନ୍ତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।