ବୁଢ଼ାରଜା କ୍ରିକେଟ କପ୍ ୨୦୨୫: ସୁନ୍ଦରଗଡର ଦମଦାର ଜୟ, କଣ୍ଟାବାଞ୍ଜି ପରାଜିତ
ସିନାପାଲି, ୨୯/୧୨ ( ସୁରେଶ ମହାନନ୍ଦ ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ଗ୍ରାମରେ ଆୟୋଜିତ ଐତିହାସିକ ବୁଢ଼ାରଜା କ୍ରିକେଟ କପ୍–୨୦୨୫ (ସଂସ୍କରଣ–୭) ଆଜି ଭବ୍ୟ ଭାବେ ଉଦ୍ଯାପିତ ହୋଇଯାଇଛି। ଏହି ଆନ୍ତର୍ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ସ୍ପୋର୍ଟିଂ କ୍ଲବ୍ ସିଙ୍ଗଝର ସୁସଂଗଠିତ ଓ ଶୃଙ୍ଖଳାବଦ୍ଧ ଭାବେ ଆୟୋଜନ କରିଥିଲା। ଫାଇନାଲ ମ୍ୟାଚରେ ସୁନ୍ଦରଗଡ ଦଳ କଣ୍ଟାବାଞ୍ଜିକୁ ୧୭ ରନ୍ରେ ପରାଜିତ କରି ଚ୍ୟାମ୍ପିଅନ ହୋଇଛି। ୨୦ ଓଭର ବିଶିଷ୍ଟ ଏହି ମ୍ୟାଚରେ ସୁନ୍ଦରଗଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା। ଜବାବରେ କଣ୍ଟାବାଞ୍ଜି ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ୍ରେ ସୀମିତ ରହିଥିଲା। ଫାଇନାଲ ମ୍ୟାଚରେ ଉତ୍କୃଷ୍ଟ ବ୍ୟାଟିଂ ପ୍ରଦର୍ଶନ କରି ୩୦ ବଲରେ ୬୭ ରନ୍ କରିଥିବା ସୁନ୍ଦରଗଡ ଦଳର ପୂର୍ଣ୍ଣଚନ୍ଦ୍ର ମାଝୀ ‘ମ୍ୟାନ୍ ଅଫ୍ ଦ ମ୍ୟାଚ’ ଭାବେ ଚୟନିତ ହୋଇଥିଲେ। ମ୍ୟାଚରେ ରେଫେରି ଭାବେ ଶ୍ରୀକାନ୍ତ ନାହାକ, ଅମ୍ପାୟାର ଭାବେ ତାପସ ପତି ଓ ରୋହିତ ଦୀପ ଦାୟିତ୍ୱ ନିର୍ବାହ କରିଥିଲେ। ସ୍କୋରବୋର୍ଡ ଦାୟିତ୍ୱରେ ଆକାଶ ବୈଠାରୁ, ସାନ୍ତନୁ କୁମାର ବୈଠାରୁ, ପ୍ରକାଶ ମାଝୀ ଓ ପ୍ରଦୀପ କୁମାର ନାଏକ ଥିଲେ। ହିନ୍ଦୀ ଭାଷ୍ୟକାର ଭାବେ ପ୍ରକାଶ ପାତ୍ର, ଧନଞ୍ଜୟ ମଲ୍ଲିକ, ଭୀମରାଜ ତାଣ୍ଡି, ନରେନ୍ଦ୍ର ନାଏକ ଓ ବିଜୟ ସେଠୀ (ବିଜୁ) ରହିଥିଲେ। ଛତିଶଗଡ଼ରୁ ଆସିଥିବା ଏଞ୍କର ଏଞ୍ଜେଲିନା ଓ ବିରେନ୍ଦ୍ର ଦିଓ୍ବାନ ଆକର୍ଷଣୀୟ ଭାବେ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଉପସ୍ଥିତ ଥିବାବେଳେ, ବିଶିଷ୍ଟ ଅତିଥି ଭାବେ ମାଁ ସାବିତ୍ରୀ ମାଝୀ (ସିଙ୍ଗଝର ମିନି ଷ୍ଟାଡିୟମ ପାଇଁ ଭୂମିଦାନକାରୀ) ଉପସ୍ଥିତ ଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଉଜ୍ଜ୍ୱଳ ଗୁପ୍ତା, ଚନ୍ଦ୍ରଭାନୁ କଶ୍ୟପ, ପୁଷ୍ପାଞ୍ଜଳୀ ଗୋଏଲ, ମନୀଷ ପଟେଲ, କୌଶଲ୍ୟା ପ୍ରଧାନ, କମଳ ବାଗ, ସୁବ୍ରତ କୁମାର ଠାକୁର ଓ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପୁରୋଧା ଗୌରୀଶଙ୍କର ମାଝୀ ଉପସ୍ଥିତ ଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଚ୍ୟାମ୍ପିଅନ ସୁନ୍ଦରଗଡ ଦଳକୁ ଟ୍ରଫି ସହ ୧ ଲକ୍ଷ ଟଙ୍କା ଓ ରନର୍ସଅପ୍ କଣ୍ଟାବାଞ୍ଜି ଦଳକୁ ୭୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲ ମ୍ୟାଚ ଦେଖିବାକୁ ଛତିଶଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲାରୁ ୩୦ ହଜାରରୁ ଅଧିକ କ୍ରିକେଟ ପ୍ରେମୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସିଙ୍ଗଝର ଗ୍ରାମର ଯୁବସମାଜ ଓ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି ଐତିହାସିକ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ସଫଳ ଭାବେ ସମ୍ପନ୍ନ ହୋଇ ଅଞ୍ଚଳସାରା ଚର୍ଚ୍ଚାର ବିଷୟ ହୋଇଛି।