ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ
ଝରିଗାଁ, ୨୩/୧୧ (ନକୁଳଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଅଧିନ ଡକରିକୋଟ ପ୍ରାଥମିକ ବିଦ୍ୟାଳୟର ସରକାରୀ ଶିକ୍ଷକ ହନୁମନ୍ତ ଗୌଡ଼ (୫୪) ଗତ କାଳି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଚଚା ପଞ୍ଚାୟତ ଅଧିନ ଦାବରିମୁଣ୍ଡା ଗ୍ରାମ ର ହନୁମନ୍ତ ଗୌଡ଼ ଶନିବାର ସକାଳେ ବାଇକରେ ସ୍କୁଳ ଯାଉଥିଲେ।ସେଠାରୁ ଘରକୁ ଫେରିବା ବେଳେ ବେଜିଗୁଡ଼ା ଗ୍ରାମ ନିକଟସ୍ଥ ବୁଲାଣି ନିକଟରେ ଥିବା କଲଭର୍ଟ ପାଖରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିପଡ଼ିଥିଲେ। ହନୁମନ୍ତ ଙ୍କ ମୁଣ୍ଡର ଗଭୀର ଆଘାତ ହେବା ସହ ସେ ରକ୍ତାକ୍ତ ହୋଇ ପଡି ରହିଥିଲେ। ଉକ୍ତ ରାସ୍ତାଦେଇ ଯାଉଥିବା ବେଜିଗୁଡା ଗ୍ରାମର କିଛି ଲୋକ ହନୁମନ୍ତଙ୍କୁ ଦେଖି ତାଙ୍କ ପରିବାରଙ୍କୁ ଖବର ଦେଇଥିଲେ। ଦାବରିମୁଣ୍ଡା ଗ୍ରାମର କେତେଜଣ ଲୋକ ଙ୍କ ସହାୟତାରେ ପରିବାର ଲୋକ ହନୁମନ୍ତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ତାଙ୍କ ଶେଷ ଦର୍ଶନ ପାଇଁ ବହୁ ଶିକ୍ଷକ ଓ ସିଆରସିସି ମାନେ ଉପସ୍ଥିତ ଥିଲେ।