ବିଶ୍ବପ୍ରସିଦ୍ଧ ଛତର ଯାତ୍ରା ଭବାନୀପାଟଣା ରେ ଛତର ରୁପେ ଦର୍ଶନ ଦେଲେ କଳାହାଣ୍ଡି ଅଧିଷ୍ଠାତ୍ରୀ ମାଁ ମାଣିକେଶ୍ଵରୀ।
କଳାହାଣ୍ଡି, ୦୧ / ୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ମାଁ ମାଣିକେଶ୍ଵରୀ ଆଦିବାସୀ ପରମ୍ପରା ରେ ମଧ୍ୟ ଶୋଭା ପାଆନ୍ତି।ରାଜକୀୟ ପରମ୍ପରା ରେ ମଧ୍ୟ ଶୋଭା ପାଆନ୍ତି। ମୁଁ ମଧ୍ୟ ଭାବୁଥିଲି ଛତର ଦର୍ଶନ ପାଇଁ କାହିଁକି ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଛୁଟି ଆସନ୍ତି, ମାଁ ଙ୍କ ସହର । କାହିଁକି ଟାଣି ଆଣେ ଭକ୍ତି,ଦର୍ଶନ ଆଶାରେ ଛଲ ଛଲ ଆଖି ,ଲୋଭ ବଢୁଥାଏ ପଣତକାନି ର ସ୍ପର୍ଶ,ଦେଖୁଛୁ ତ ମାଁ ମତେ ତୋର ତ ଲକ୍ଷ ଲକ୍ଷ ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିତରେ । କିଏ କେତେ କ'ଣ ନେଇକି ଆସିଛି ,ତତେ ସମର୍ପିବା ପାଇଁ। ମୁଁ ତ ନିମିତ୍ତ ମାତ୍ର, ମୋ କଥା ଶୁଣୁଛ ତ। ଛତର ମଝିରେ, ନିଜର ଡ୍ୟୁଟି ମଝିରେ ବିଶ୍ରାମ ଟିକେ ନେବା ସମୟରେ ମାଁ ଆସୁଛନ୍ତି ବୋଲି ଖବର ଆସେ। ଆମେ ଅଟକି ଥିବା ଜାଗାରୁ ସମସ୍ତେ ଦର୍ଶନ ପାଇଁ ବିଚଳିତ। ସେହି ସମୟ ଥିଲା ପ୍ରଥମ ଦର୍ଶନ। ନାଁ କେବେ ତୋର ମନ୍ଦିର ଭିତରୁ ଆଖି ରେ ଆଖି ମିଶାଇ ଅଲି କରିବାର ସାହସ ପାଇଥିଲି। ହେଲେ ସେହି ସମୟ ତତେ ତ ମନେ ରହିନଥିବ। କିନ୍ତୁ ମତେ ଯେବେ ବି ମାଁ ତୋର କଥା ଆସେ ଆଖି ଛଳ ଛଳ କରେ। ଭକ୍ତ ପାରା ଉଡାଉଥାଏ, ବଳି ପଡୁଥାଏ, ହେଲେ ତୋର ଦର୍ଶନ ପାଇବାର ସୌଭାଗ୍ୟ ହଠାତ୍ ଆଖିକୁ ପ୍ରାପ୍ତ ହୁଏ। ଆଖିରେ ଲୁହ ଅଟକେ ନାହିଁ, ନାଁ ତତେ ଆଉ କ'ଣ କହିବି , କେଉଁ ଅଭିଯୋଗ କି ଅଲି ଅଛି ଯେ। କ୍ଷଣିକ ରେ ସ୍ବର୍ଗ ସୁଖ ଦେଉଥାଏ ତୋ ଦର୍ଶନ। ତୁ ମତେ ଦେଖୁଥାଉ ବୋଧେ। କାହିଁକି ନା ତୁ ତ ଭାବ କୁ ନିକଟ ବୋଲି କୁହନ୍ତି।
ଛତର ଯାତ୍ରା :
ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପାରମ୍ପରିକ ପର୍ବ । ଏହି ପର୍ବଟି କଳାହାଣ୍ଡି ରାଜପରିବାର ସହ ଜଡ଼ିତ ମାଆ ମାଣିକେଶ୍ୱରୀଙ୍କର ଏକ ମୁଖ୍ୟ ପର୍ବ । କଳାହାଣ୍ଡି ଜିଲ୍ଲାର ପ୍ରମୁଖ ଦେବୀ ହେଲେ ମାଆ ମାଣିକେଶ୍ବରୀ । ଆଉ ଆଜି ହେଉଛି ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଆସ୍ଥା ବିଶ୍ବାସ ଓ ପରମ୍ପରାର ପର୍ବ ଛତର ଯାତ୍ରା ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ସାରି ମନ୍ଦିର ଅଭିମୁଖେ ବାହାରିଛି ମାଆଙ୍କ ବିଜୟ ପ୍ରତିମା ଛତର । ସହର ଉପକଣ୍ଠରେ ଥିବା ଜେନାଖାଲରୁ ଭୋର ୪ଟା ପରେ ମାଙ୍କ ବିଜୟ ଛତର ବାହାରିଛି । ଦିନ ୧୨ଟା ପରେ ରାଜବାଟି ସ୍ଥିତ ମାଆ ମାଣିକେଶ୍ବରୀ ମନ୍ଦିରରେ ପହଞ୍ଚିଛି ଛତର । ମାଣିକେଶ୍ବରୀଙ୍କ ମହତ୍ତ୍ବ
ମହାଷ୍ଟମୀର ମଧ୍ୟରାତ୍ରୀରେ ସ୍ଵତନ୍ତ୍ର ଗୁପ୍ତ ପୂଜା ପରେ ମା’ଙ୍କ ବିଜୟ ପ୍ରତିମା ଛତରକୁ ନେଇ ଯାତ୍ରା ଆରମ୍ଭ ହୋଇଥିଲା । ମୁଣ୍ଡଚିନା ଜେନା ବାଦ୍ୟର ତାଳେ ତାଳେ ମା’ଙ୍କ ବିଜୟ ପ୍ରତିମା ଛତରକୁ ନେଇ ସହରର ପଶ୍ଚିମରେ ଥିବା ଫାଶୀ ଡଙ୍ଗର ତଳେ ଥିବା ଜେନାଖାଲରେ ରଖାଯାଏ । ସେଠାରେ ସ୍ଵତନ୍ତ୍ର ରୀତିନୀତିରେ ଗୁପ୍ତ ପୂଜା ପରେ ନବମୀ ତିଥିରେ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ ହୋଇଥିଲା । ଯାହାକୁ ଛତର ଯାତ୍ରା ବୋଲି କୁହାଯାଏ । ଏହି ସମୟରେ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇବା ପାଇଁ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ମାଆ ମାଣିକେଶ୍ୱରୀ ମହାଷ୍ଟମୀର ମଧ୍ୟରାତ୍ରରେ ଗର୍ଭଗୃହରୁ ବାହାରକୁ ଆସନ୍ତି ଏବଂ ପାଖାପାଖି ୩ କିମି ଦୂର ଜେନଖଳକୁ ଯାଆନ୍ତି । ମହାଷ୍ଟମୀର ସକାଳେ ନଗର ପରିଭ୍ରମଣରୁ ଯାତ୍ରା ଆରମ୍ଭ ହୋଇଥିଲା । ଏକ ବାଉଁଶକୁ କଳା କପଡ଼ାରେ ଗୁଡ଼ାଯାଇ ମାଆ ମାଣୀକେଶ୍ୱରୀଙ୍କର ପ୍ରତିନିଧିତ୍ୱ କରାଯାଏ । ଚାନ୍ଦିର ଏକ ପାତ୍ର ଯାହା ଉପରେ ଦଶମହାବିଦ୍ୟା ଯନ୍ତ୍ର ଖୋଦିତ ହୋଇଥାଏ ଯାହାକି ହିନ୍ଦୁମାନଙ୍କର ତାନ୍ତ୍ରିକ ରୂପ ଦେଖାଏ । ଏଦି ଚାନ୍ଦିର ପାତ୍ରଟି କଳା କପଡ଼ା ଗୁଡ଼ାଯାଇଥିବା ବାଉଁଶର ଉର୍ଦ୍ଧ୍ୱରେ ଲଗାଯାଇଥାଏ । ବଳି ପ୍ରଥା
ଦୈବୀ ପୀଠ ସହ ପୂଜା ସଂସ୍କୃତି ଓତଃପୃତଃ ଭାବେ ଜଡିତ । ଯଦିଓ କାଳକ୍ରମେ ଏହା ପୂଜାର ଅଭିନ୍ନ ଅଙ୍ଗ ଭାବେ ରହିଆସିଛି ତେଣୁ ବର୍ତ୍ତମାନ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ବଳିପ୍ରଥା ପ୍ରାୟତଃ ବନ୍ଦ ହୋଇଗଲାଣି । ବହୁ ଶକ୍ତି ପୀଠରେ ଏହାକୁ ନେଇ କଟକଣା ମଧ୍ୟ ଲଗାଯାଇଛି । କିନ୍ତୁ ଏହା ସତ୍ତ୍ବେ ବି ମାଣିକେଶ୍ବରୀ ପୀଠରେ ଆଜି ବି ବହୁତ ସଂଖ୍ୟାର ବଳି ଦେଖିବାକୁ ମିଳିଥିଲା। ସେହି ପରମ୍ପରା ଅନୁଯାୟୀ ଆଜି ନବରାତ୍ର ସମେତ ମାଙ୍କ ଷୋଡ଼ଶଦିନାତ୍ମକ ଅଷ୍ଟମୀରେ ମା‘ଙ୍କ ନିକଟରେ ଅସଂଖ୍ୟ ପଶୁବଳି ଦେଇଥାନ୍ତି ମାନସିକଧାରୀ । ମାନସିକ ରଖିଥିବା ଶ୍ରଦ୍ଧାଳୁମାନେ ଛତର ଯାତ୍ରା ସମୟରେ ମାଣିକେଶ୍ବରୀଙ୍କ ନିକଟରେ କୁକୁଡ଼ା, ବୋଦା, ଛେଳି ଅର୍ପଣ କରିଥିଲେ। ଏହାପରେ ରକ୍ତମୟ ହୋଇଯାଏ ରାଜ ରାସ୍ତା । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିଛନ୍ତି । ଭକ୍ତ ମାନେ ଶାନ୍ତି ଓ ମୈତ୍ରିର ପ୍ରତୀକ ଶହଶହ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଥିଲା । ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ସିଂହ ଦ୍ଵାର ନିକଟରେ ପହଞ୍ଚିବା ପରେ ଜେନାବଳି ଦେବା ପରେ କଳାହାଣ୍ଡି ମହାରାଜଙ୍କ ପ୍ରତିମାକୁ ନେଇ ଗର୍ଭଗୃହ ମଧ୍ୟରେ ସ୍ଥାପନ କରିଥାନ୍ତି ।
କଳାହାଣ୍ଡି ଜିଲ୍ଲା ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ