Hot Posts

ତାଇୱାନ୍ ର ବାଲୁକା କଳା ପ୍ରଦର୍ଶନରେ ଓଡ଼ିଆ ପୁଅ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ

କର୍ଲାମୁଣ୍ଡା, ୨୩ / ୬ (ସୁଶାନ୍ତ ରଣା): ତାଇୱାନ ର ମ୍ୟାଓଲି ସହରରେ ଥିବା ଟଙ୍ଗସାଇଆଓ ବିଚରେ ଅନୁଷ୍ଠିତ ବାଲୁକା କଳା କର୍ମଶାଳାରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଗ୍ରା.ପ. ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଯୋଗ ଦେଇଛନ୍ତି l ମୋ ହୃଦୟର ଛୋଟ ପୃଥିବୀ (The little world in my heart) ଶୀର୍ଷକ ବାଲୁକା କଳା କର୍ମଶାଳା ରେ ସେ ଓଡ଼ିଶାର ଆଦିମ ସଂସ୍କୃତିକୁ ଉପସ୍ଥାପନ କରିଛନ୍ତି l ମାଲକାନଗିରି ଜିଲ୍ଲାର ବଣ୍ଡା ସମ୍ପ୍ରଦାୟର ଜଣେ ମହିଳା ବାଘ ଛୁଆକୁ କ୍ଷୀର ଖୁଆଉଥିବାର ଏକ ଦୃଶ୍ୟ ଓ ଡାହାଣ ହାତରେ ଗୋଟିଏ ଗଛକୁ ଧରି ଥିବାର ଦୃଶ୍ୟକୁ ଅଙ୍କନ କରି ଆଦିମ ସଂସ୍କୃତି ଜଙ୍ଗଲ ଜନ୍ତୁ ଓ ପ୍ରକୃତି ସହିତ କିପରି ଜଡିତ ଥିଲା ତାହାକୁ ସେ ଉପସ୍ଥାପନା କରିଛନ୍ତି l ଉକ୍ତ କର୍ମଶାଳା ରେ ୟୁକ୍ରେନ, କାନାଡ଼ା, ମଙ୍ଗୋଲିଆ, ମାଲେସିଆ, ଚୀନ, ଜାପାନ, ତାଇୱାନର ଶିଳ୍ପୀଙ୍କ ସମେତ ଭାରତରୁ ଶ୍ରୀ ସାହୁ ପ୍ରତିନିଧିତ୍ୱ କରିଥିଲେ l ପ୍ରତ୍ୟେକ ଶିଳ୍ପୀ ନିଜ ନିଜ ଶୈଳୀରେ ଗୋଟିଏ ଲେଖାଏଁ ମଡେଲ ତିଆରି କରିଥିବା ବେଳେ ୨୦୦ଫୁଟ ଲମ୍ବ ଓ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୋଡେଲକୁ ସାମୁହିକ ଭାବରେ ସମସ୍ତେ ମିଶି ନିର୍ମାଣ କରିଥିଲେ l ଉକ୍ତ ପ୍ରଦର୍ଶନୀଟି ଆସନ୍ତା ଜୁଲାଇ ୧୫ ରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ରେ ସରିବ ବୋଲି ସୂଚନା ମିଳିଛି l