ମଦ ବିରୋଧି ଅଭିଯାନରେ ବକଡ଼ାବେଡ଼ା ରେ ମହା ସଚେତନତା କାର୍ଯ୍ୟକ୍ରମ, ନାଟକ ମାଧ୍ୟମରେ ଲୋକଜନକୁ ଦିଆଗଲା ସନ୍ଦେଶ
ନବରଙ୍ଗପୁର,୨୯ / ୬ : (ନକୁଳ ଭତ୍ରା ) : ମଦ ବିରୁଦ୍ଧରେ ଚାଲିଥିବା ରାଜ୍ୟସ୍ତରୀୟ ଅଭିଯାନର ଅଂଶରୂପ ଝରିଗାଁ ବ୍ଲକ ଅନ୍ତର୍ଗତ ବକଡ଼ାବେଡ଼ା ଗ୍ରାମରେ ଆଜି ଏକ ବୃହତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ସ୍ଥାନୀୟ ମଣ୍ଡପରେ ଅନୁଷ୍ଠିତ ହୋଇ ଲୋକଙ୍କ ମଧ୍ୟରେ ମଦ ବ୍ୟସନ ର ହାନିକାରକ ପରିଣାମ ବିଷୟରେ ଗଭୀର ସନ୍ଦେଶ ଦେଇଛି। ଝରିଗାଁ ବ୍ଲକର କଳା ଓ ସଂସ୍କୃତିକ ସଂଘ ପକ୍ଷରୁ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହୋଇଥିବା ନାଟକ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଛି। ଏହି ନାଟକର ମାଧ୍ୟମରେ ଦେଖାଯାଇଛି ଯେ କିପରି ବିଷାକ୍ତ ମଦ ଦ୍ୱାରା ଗ୍ରାମୀଣ ଅଞ୍ଚଳର ପରିବାରଗୁଡ଼ିକ ଧ୍ୱଂସ ହେଉଛନ୍ତି, ପୁରୁଷ ଶୂନ୍ୟ ପରିବାର ତିଆରି ହେଉଛନ୍ତି, ଶିଶୁ ଅନାଥ ହେଉଛନ୍ତି ଓ ମହିଳାମାନେ ଅକାଳ ବିଧବା ହେଉଛନ୍ତି। ଅବକାରୀ ବିଭାଗ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଗାଁର ଅନେକ ଭଦ୍ରବ୍ୟକ୍ତି, ଯୁବକ-ଯୁବତୀ ଓ ବୃଦ୍ଧ ବୃଦ୍ଧାମାନେ ବୃହତ ସଂଖ୍ୟାରେ ଉପସ୍ଥିତ ହୋଇଥିଲେ। ସଭାରେ ଗ୍ରାମବାସୀମାନେ ଖୁଲାମତ ରଖି ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଦିବାସୀ ଅଞ୍ଚଳରେ ମଦ ପିଇ ମୃତ୍ୟୁର ଘଟଣା ଏତେ ବଢ଼ିଯାଇଛି ଯେ ଅନେକ ଗୋଷ୍ଠୀ ଓ ପରିବାର ସାମାଜିକ ଓ ଆର୍ଥିକ ଭାବେ ଧ୍ୱଂସ ହୋଇଯାଇଛନ୍ତି। ଅନେକ ବିବାହିତା ମହିଳା ତାଙ୍କର ଶ୍ୱାମୀଙ୍କୁ ହରାଇ ବୟସ ୪୦ ପୂର୍ବରୁ ବିଧବା ହୋଇ ଯାଉଛନ୍ତି। ପରିବାରର ଅର୍ଥନୈତିକ ଅବସ୍ଥା କ୍ଷୀଣ ହୋଇ ଶିଶୁମାନେ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି। ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ, ସରକାର ଯଦି ଏହି ଅଞ୍ଚଳରେ ମଦ ବିକ୍ରି ଉପରେ ଶକ୍ତ ନିୟନ୍ତ୍ରଣ ଆଣନ୍ତି, ତେବେ ଏହି ସଚେତନତା ଅଭିଯାନ ଏକ ଦୀର୍ଘସ୍ଥାୟୀ ଫଳ ଦେଇପାରିବ। ତେଣୁ ସରକାରୀ ଓ ବେସରକାରୀ ମଦ ବିକ୍ରି କେନ୍ଦ୍ରଗୁଡ଼ିକୁ ବନ୍ଦ କରି ମଦ ବିରୋଧି ନୀତିକୁ କଢ଼ିଆସିବା ଅତ୍ୟାବଶ୍ୟକ। ସମାପନରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ଏକ ନୂଆ ଜାଗୃତି ସୃଷ୍ଟି ହୋଇଛି। ଏହି ସଚେତନତା ଦିଗରେ ଚାଲିଥିବା ସରକାରଙ୍କ ପଦକ୍ଷେପ ଦୂରଗମ ଅଞ୍ଚଳକୁ ସପ୍ରଭାବ ପକାଇପାରିବ ବୋଲି ଆଶା କରାଯାଉଛି।