ମନରେଗା କାମରେ ମେସିନ ବ୍ୟବହାର ବନ୍ଦ କରିବା ନିର୍ଦ୍ଦେଶ: ଶ୍ରମିକ ନିଯୁକ୍ତି ଦ୍ବାରା ଦାଦନ ରୋକିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୫ / ୫ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗାରଣ୍ଟି ଯୋଜନା (ମନରେଗା) କାମକୁ ନେଇ ରାଜ୍ୟ ସରକାର ଏକ ଗମ୍ଭୀର ମନୋଭାବ ଗ୍ରହଣ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଞ୍ଚାୟତିରାଜ ବିଭାଗକୁ କଡ଼ା ଶବ୍ଦରେ ନିର୍ଦ୍ଦେଶ ଦେଇଛନ୍ତି— ମନରେଗାରେ ମେସିନ ଦ୍ବାରା କାମ ଅବିଳମ୍ବରେ ବନ୍ଦ କରନ୍ତୁ, ଶ୍ରମିକ ନିଯୁକ୍ତି ଆଧାରିତ କାର୍ଯ୍ୟ ହେବା ଦରକାର।
ଦୁଇ ଦିନିଆ ରାଜ୍ୟସ୍ତରୀୟ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଉଥିବା ସନ୍ଦର୍ଭରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମନରେଗା କାମକୁ ଶୁଦ୍ଧ ଏବଂ ଲୋକମୁଖୀ ଭାବରେ ଚାଲାଇବା ଏକ ଚାଲେଞ୍ଜ ଭଳି ନିଆଯାଉ, ଏହି କାର୍ଯ୍ୟ ଦ୍ବାରା ଦାଦନ ଖଟିବାକୁ ବାଧ୍ୟ ହେଉଥିବା ଲୋକମାନେ ଘରେ ରହି କାମ ପାଇପାରିବେ।”
ସେ ଏହି ବିଷୟରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତ ଅନେକ କାମରେ ମେସିନ ବ୍ୟବହାର ହେଉଛି, ମଷ୍ଟର ରୋଲରେ ଅସଲ ଶ୍ରମିକ ନ ଥାଇ ବିଭିନ୍ନ ବୃତ୍ତିର ଲୋକଙ୍କ ନାମ ରହିଛି। “କେହି ଲେକ୍ଚର, କେହି ଡାକ୍ତର ଥିଲେ ମଧ୍ୟ ତାଙ୍କ ନାମ ରହିଛି ଶ୍ରମିକ ଭାବେ,” ବୋଲି ସେ ଦୁଃଖ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଶୀଘ୍ର ଗାଇଡଲାଇନ ଜାରି ହେବ, ଯାହା ମାଧ୍ୟମରେ ମନରେଗା କାର୍ଯ୍ୟକଳାପରେ ମେସିନ ବ୍ୟବହାର ସଂପୂର୍ଣ୍ଣ ଭାବେ ବାନ୍ଦ ହେବ ଏବଂ ଗ୍ରାମ ଅଞ୍ଚଳର ଶ୍ରମିକମାନଙ୍କୁ ସଜଗ ଭାବେ ନିଯୁକ୍ତ କରାଯିବ।