Hot Posts

6/recent/ticker-posts

କୋଭିଡ୍ ଭୟ ପୁଣି ଫେରିଲା: ଦେଶବ୍ୟାପୀ ମାମଲା ବୃଦ୍ଧି, ରାଜ୍ୟ-ରାଜ୍ୟ ନଜରେ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର, ୨୭ / ୫ :  – ବିରାମ ପରେ ପୁଣି ଥରେ କୋଭିଡ୍-୧୯ ସଂକ୍ରମଣ ଦେଶରେ ମୁଣ୍ଡ ଟେକିଛି। ବିଭିନ୍ନ ରାଜ୍ୟରୁ ଦୃତ ଗତିରେ ମାମଲା ବୃଦ୍ଧି ପାଇଥିବା ଖବର ମଧ୍ୟରେ, ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆହ୍ୱାନ କରାଯାଇଛି। ଏହି ବୈଠକରେ ସମସ୍ତ ରାଜ୍ୟର ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଯୋଗ ଦେବେ।
ଓଡ଼ିଶାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼. ନୀଳକଣ୍ଠ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ବ୍ୟାପୁଥିବା ଭାରିଏଣ୍ଟ NB.1.8.1 ଓ LF.7 ବେଶି ଭୟାନକ ନୁହେଁ। ଏଥିରେ କେବଳ ଥଣ୍ଡା, କାଶ ଏବଂ ସାଧାରଣ ଲକ୍ଷଣ ଦେଖାଯାଉଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଓ ଭଲ ରହିଛି। ସେମିତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ବୃଦ୍ଧିକୁ ଗମ୍ଭୀରତାରେ ନେଇ ପୂର୍ଣ୍ଣ ପ୍ରସ୍ତୁତି ନେଇଛି।
ମହାରାଷ୍ଟ୍ର, ଦିଲ୍ଲୀ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ମାମଲା ବୃଦ୍ଧି ହେବା ସହିତ, ହସ୍ପିଟାଲଗୁଡିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ଆଜି ୧୦୪୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୧ ଜଣଙ୍କ ମୃତ୍ୟୁ ଘଟିଛି, ଯାହାରୁ ୫ ଜଣ ମହାରାଷ୍ଟ୍ରରୁ।
ମେ ମାସରେ କେରଳରେ ସବୁଠାରୁ ବେଶି – ୨୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଅବସ୍ଥାରେ, ସେଠାରେ ମାସ୍କ ପିନ୍ଧିବାକୁ ନିୟମିତ କରାଯାଇଛି। ଥଣ୍ଡା, କାଶ ଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧିବା ସହ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ନୂଆ ଗାଇଡଲାଇନ୍ ଜାରି ହୋଇନାହିଁ, କିନ୍ତୁ ଅବସ୍ୟ ମାମଲା ବୃଦ୍ଧି ପାଇଁ ସବୁ ରାଜ୍ୟକୁ ଚେତାବନୀ ଦିଆଯାଇଛି।