ଥୁଆମୂଳ ରାମପୁର, ୦୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ପ୍ରାଚୀନ ଯୁଗରୁ ଖଣ୍ଡୁଆଳ ମାଳିରେ ଅବସ୍ଥାନ କରିଥିବା ପ୍ରତ୍ୟକ୍ଷ ଦେବୀ ଖଣ୍ଡୁଆଳଙ୍କ ଝାମୁଯାତ୍ରା କଳାହାଣ୍ଡି ଜିଲ୍ଲାର କର୍ଲାପାଟରେ ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ଶହ ଶହ ବର୍ଷର ଏହି ପରମ୍ପରାରେ ଶ୍ରଦ୍ଧା ଓ ଭକ୍ତିରେ ସାମିଲ ହୋଇଥିଲେ ଶତାଧିକ ଭକ୍ତ। ଥୁଆମୂଳ ରାମପୁର ବ୍ଲକର ବହୁ ପୁରାତନ ନାଗବଂଶୀୟ ଜମିଦାରୀ ଅଞ୍ଚଳ କର୍ଲାପାଟ ଗ୍ରାମ। ଗ୍ରାମ ନିକଟ ଖଣ୍ଡୁଆଳ ମାଳି ପାହାଡ଼ର ପ୍ରାକୃତିକ ପଥର ଗୁମ୍ଫାରେ ପ୍ରାଚୀନ କାଳରୁ ଖଣ୍ଡୁଆଳ ଦେବୀଙ୍କ ଆସ୍ଥାନ ରହିଥିବା ବିଶ୍ୱାସ ରହିଛି। ସେଠାରେ ପାଟଖଣ୍ଡାଙ୍କ ପୂଜା ମଧ୍ୟ ପାରମ୍ପରିକ ରୀତିରେ ହୋଇଆସୁଛି। ଭାଦ୍ରବ ମାସ ଦ୍ୱାଦଶୀ ତିଥିରୁ ଆରମ୍ଭ ହୋଇଥିବା ପୂଜାର୍ଚ୍ଚନା ପରେ ନବମ ଦିନରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ। ଘଣ୍ଟ, ଶଙ୍ଖ, ଘୁମୁରା ଓ ନିଶାନ ମହୁରୀ ବାଦ୍ୟର ତାଳେ ଶ୍ରଦ୍ଧାଳୁମାନେ ପାହାଡ଼ ଉପରେ ଥିବା ଖଣ୍ଡୁଆଳ ଗୁମ୍ଫାକୁ ଯାଇ ପାଟଖଣ୍ଡାଙ୍କୁ ଗ୍ରାମ ମନ୍ଦିରକୁ ଆଣିଥିଲେ। ଏହାପରେ ନୂଆ ବାଉଁଶ ଚାଙ୍ଗୁଡ଼ିରେ ୯ ପ୍ରକାର ଶସ୍ୟ ଗଜା କରାଯାଇ ନଅ ଦିନ ଧରି ପୂଜା କରାଯାଇଥିଲା। ନବମ ଦିନରେ ଆୟୋଜିତ ହୋଇଥିଲା ଝାମୁଯାତ୍ରା। ଝାମୁଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ଅଗ୍ନି ପରୀକ୍ଷା। ପୂର୍ବରୁ ପ୍ରସ୍ତୁତ କାଠଗଣ୍ଡିରେ ନିଆଁ ଲଗାଇ ଅଙ୍ଗାର ଲାଲ୍ ହୋଇଯିବା ପରେ ପାରମ୍ପରିକ ରୀତିରେ ଅଗ୍ନି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ଦୃଶ୍ୟ ଦେଖିବାକୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା। ପରେ ମାନସିକଧାରୀ ଭକ୍ତମାନେ ନିଜ ମନସ୍କାମନା ପୂରଣ ହୋଇଥିବା ବିଶ୍ୱାସରେ ଦେବୀଙ୍କ ନିକଟରେ ଭୋଗ ଅର୍ପଣ କରିଥିଲେ। ପ୍ରାଚୀନ ପରମ୍ପରା, ଲୋକବିଶ୍ୱାସ ଓ ଭକ୍ତିର ଅପୂର୍ବ ସମନ୍ୱୟରେ କର୍ଲାପାଟର ଖଣ୍ଡୁଆଳ ଦେବୀଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଛି।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ


