ମୋଟେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲି ବୋଝେଇ ଟ୍ରାକ୍ଟର ଚାପାରେ ମହିଳା ମୃତ, ଶିଶୁ ଗୁରୁତର
କୋକସରା, ୩୦/୦୯ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧୀନ ମୋଟେର ଠାରେ ଏନ୍ଏଚ୍-୨୬ ଜାତୀୟ ରାଜପଥରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଟ୍ରାକ୍ଟର ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଏକ ଛୋଟ ଶିଶୁ ଗୁରୁତର ଆହତ ହୋଇଛି। ମୃତ ମହିଳା ହେଲେ ମୋଟେର ପଞ୍ଚାୟତ ଅନ୍ତର୍ଗତ ବାଟିଗୁଡ଼ା ଗ୍ରାମର ଦେବାନ୍ତି ନାଗ। ସୂଚନା ଅନୁଯାୟୀ, ଦେବାନ୍ତି ନାଗ ତାଙ୍କ ସ୍ୱାମୀ ନରେନ୍ଦ୍ର ନାଏକ ଓ ଛୋଟ ଶିଶୁଙ୍କ ସହ ବାଇକ୍ (ନଂ- OD08O2535) ଯୋଗେ ଚାହାରବାହାଲ ପଟରୁ ଆସୁଥିଲେ। ଏହି ସମୟରେ ପଛପଟୁ ଆସୁଥିବା ବାଲି ବୋଝେଇ ଟ୍ରାକ୍ଟର (ନଂ- OD08P2262) ବାଇକ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ମହିଳା ଟ୍ରାକ୍ଟର ତଳେ ଚାପି ଯାଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଛୋଟ ଶିଶୁ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇ ଭର୍ତ୍ତି କରାଯାଇଛି। ମୃତ ଦେବାନ୍ତିଙ୍କର ଆଉ ଦୁଇଜଣ ଛୋଟ ଝିଅ ଥିବା ଜଣାପଡ଼ିଛି। ଖବର ପାଇ କୋକସରା ପୁଲିସର ଏସ୍ଆଇ ଡି. ମୋହନ, ଏସ୍ଆଇ ରଶ୍ମିରଞ୍ଜନ ବାଗଙ୍କ ସମେତ ପୁଲିସ କର୍ମଚାରୀ ଓ ମୋଟେର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଏପଟେ ମୃତ ମହିଳାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରାଜରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ସାମିଲ ହୋଇଛନ୍ତି। କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ପରିବାର ପକ୍ଷରୁ କୁହାଯାଇଛି। ପୁଲିସ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ ଖବର ଲେଖାଯିବା ସୁଦ୍ଧା ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ହଟିନଥିଲେ। ଏପର୍ଯ୍ୟନ୍ତ କୌଣସି ଅଧିକାରୀ କିମ୍ବା ଟ୍ରାକ୍ଟର ମାଲିକ ରାସ୍ତାରୋକ ସ୍ଥଳରେ ପହଞ୍ଚିନଥିବା ଜଣାପଡ଼ିଛି। ଘଟଣାକୁ ନେଇ ମୋଟେର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।