Hot Posts

6/recent/ticker-posts

ଫେକ୍ ଡିସାବିଲିଟି ସାର୍ଟିଫିକେଟ୍‌କୁ ନେଇ ସିଡିଏମ୍‌ଓଙ୍କ ଦ୍ୱାରସ୍ଥ ଅଭିଯୋଗକାରୀ

ବାଲେଶ୍ୱର, ୦୨/୧୦ (ପ୍ରଭାକର ମଲ୍ଲିକ) : ଜଣେ ବ୍ୟକ୍ତିଙ୍କ ନାମରେ ଜାରି ହୋଇଥିବା ଡିସାବିଲିଟି ସାର୍ଟିଫିକେଟ୍‌କୁ ନେଇ ଉଠିଛି ଗୁରୁତର ଅଭିଯୋଗ। ଉକ୍ତ ସାର୍ଟିଫିକେଟ୍‌ରେ ୪୦ ପ୍ରତିଶତ Locomotor Disability ଏବଂ ୭୫ ପ୍ରତିଶତ Mental Illness ଦର୍ଶାଯାଇଥିବା ଅଭିଯୋଗକାରୀମାନେ ଦାବି କରିଛନ୍ତି। ଏହାକୁ ନେଇ ବାଲେଶ୍ୱର ସିଡିଏମ୍‌ଓଙ୍କ ନିକଟରେ ଲିଖିତ ଅଭିଯୋଗ କରି ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅଭିଯୋଗପତ୍ରରେ ଆର୍‌ଟିଆଇ ମାଧ୍ୟମରେ ମିଳିଥିବା ତଥ୍ୟକୁ ଆଧାର କରି ଡିସାବିଲିଟି ପ୍ରମାଣପତ୍ରର ସତ୍ୟତା ଉପରେ ପ୍ରଶ୍ନ ଉଠାଯାଇଛି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ଦୈନନ୍ଦିନ ଭାବେ ସ୍ୱାଭାବିକ ଭାବରେ ଚଳପ୍ରଚଳ କରିବା ସହ ବିଭିନ୍ନ କାର୍ଯ୍ୟ କରୁଥିବା ଦେଖାଯାଉଛି। ଏପରି ସ୍ଥିତିରେ ତାଙ୍କ ନାମରେ ଏତେ ଅଧିକ ପ୍ରତିଶତ ଅକ୍ଷମତା ପ୍ରମାଣପତ୍ର କିପରି ଜାରି ହେଲା, ତାହାର ତଦନ୍ତ ଦାବି କରାଯାଇଛି। ଅଭିଯୋଗରେ ଆହୁରି କୁହାଯାଇଛି ଯେ, ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ୨୨ ଏପ୍ରିଲ ୨୦୨୬ରେ BNSS Case No. 99 ରୁଜୁ ହୋଇଥିବା ଦର୍ଶାଯାଇଛି। ଏହାସହ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଦୈନନ୍ଦିନ କାର୍ଯ୍ୟକଳାପକୁ ନେଇ ମଧ୍ୟ ଅଭିଯୋଗପତ୍ରରେ ପ୍ରଶ୍ନ ଉଠାଯାଇଛି। ଏପରିକି ୭୫ ପ୍ରତିଶତ Mental Illness ଥିବା ବ୍ୟକ୍ତି କିପରି ସାଧାରଣ ଭାବେ ଶିକ୍ଷାଗତ ଯୋଗ୍ୟତା ହାସଲ କରିଛନ୍ତି ଏବଂ ସରକାରୀ ସୁବିଧା ହାସଲ କରୁଛନ୍ତି, ସେନେଇ ଅଭିଯୋଗକାରୀମାନେ ତଦନ୍ତ ଦାବି କରିଛନ୍ତି। ଅଭିଯୋଗକାରୀମାନେ କହିଛନ୍ତି, ଯଦି ପ୍ରମାଣପତ୍ରଟି ଜାଲ୍‌ କିମ୍ବା ତଥ୍ୟ ଭିତ୍ତିକ ନୁହେଁ ବୋଲି ତଦନ୍ତରେ ପ୍ରମାଣିତ ହୁଏ, ତେବେ ଏହା ଜାରି କରିବାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଓ ଏହାର ଲାଭ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ସିଡିଏମ୍‌ଓ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବେ ବୋଲି ଅଭିଯୋଗକାରୀମାନେ ପ୍ରଶାନ୍ତି ଜେନା, ମହେଶ୍ଵର ଦାସ, ପଞ୍ଚାନନ ଦାସ, ସବିତା ମଲ୍ଲିକ, ସୁଧାକର ସେଠୀ ଆଦି ପ୍ରମୁଖ ବ୍ୟକ୍ତି ଦାବି କରିଛନ୍ତି।


ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l