କଳାହାଣ୍ଡି, ୨୭/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କୁରିଅର୍ରେ ଗଞ୍ଜେଇ ଚାଲାଣ ଅଭିଯୋଗ । ଭବାନୀପାଟଣାର ଏକ କୁରିଅର୍ ଅଫିସ୍ରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ସୋଲ ପେଟି ଭିତରେ ଗଞ୍ଜେଇ ଭର୍ତ୍ତି କରି ଉତ୍ତରପ୍ରଦେଶକୁ ପଠାଯାଉଥିବା ଅଭିଯୋଗ ହୋଇଛି । ତେବେ ଯେଉଁ ଠିକଣାକୁ ପାର୍ସଲ୍ ପଠାଯାଉଥିଲା, ସେହି ଠିକଣାକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ଜୋର ଧରିଛି ଭବାନୀପାଟଣାର ଏକ କୁରିଅର୍ ଅଫିସ୍ରେ ଅବକାରୀ ବିଭାଗର ଚଢ଼ାଉ । ଯାଞ୍ଚ ବେଳେ ସୋଲ ପେଟି ଭିତରୁ ମିଳିଲା ପୁଳା ପୁଳା ଗଞ୍ଜେଇ । ଅବକାରୀ ବିଭାଗର ସୂଚନା ଅନୁସାରେ, ଜବତ ଗଞ୍ଜେଇର ପରିମାଣ ପ୍ରାୟ ୪୦୦ କେଜି ବୋଲି ଜଣାପଡ଼ିଛି । ସୋଲ ପେଟି ଭିତରେ ଗଞ୍ଜେଇ ଭର୍ତ୍ତି କରି କୁରିଅର୍ ମାଧ୍ୟମରେ ଉତ୍ତରପ୍ରଦେଶକୁ ପଠାଯାଉଥିବା ଅଭିଯୋଗ ହୋଇଛି । ଘଟଣାରେ ମୋଟ ୩୨ ଟି ପେଟି ଜବତ ହୋଇଥିବା ସୂଚନା ମିଳିଛି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ପାର୍ସଲ୍ର ଡେଲିଭରୀ ଠିକଣା ଉତ୍ତରପ୍ରଦେଶର ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ ଠିକଣା ଥିବା ଜଣାପଡ଼ିଛି । ତେବେ ପାର୍ସଲ୍ରେ ଜଜ୍ଙ୍କ ନାମ ନଥିବା ସହ ପଠାଇଥିବା ବ୍ୟକ୍ତିଙ୍କ ନାମ ଓ ଠିକଣା ମଧ୍ୟ ଉଲ୍ଲେଖ ନଥିବା ଜଣାପଡ଼ିଛି । ତେବେ ଏତେ ପରିମାଣର ଗଞ୍ଜେଇ କୁରିଅର୍ ମାଧ୍ୟମରେ କିଏ ପଠାଉଥିଲା? କାହିଁକି ବୁଲନ୍ଦସହର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ଙ୍କ ଠିକଣାକୁ ଡେଲିଭରୀ ଠିକଣା ଭାବେ ବ୍ୟବହାର କରାଯାଇଥିଲା? ଏହା ପଛରେ ଆଉ କିଏ କିଏ ସାମିଲ ଅଛନ୍ତି? ଏସବୁ ଦିଗକୁ ନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି ।
କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
