ଭବାନୀପାଟଣା, ୦୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି ମାସେ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଅଭିଯାନ। ଅକ୍ଟୋବର ୨ ତାରିଖରୁ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଭବାନୀପାଟଣା ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରୁ ସକାଳ ସାଢ଼େ ୮ ଟାରେ ପଦଯାତ୍ରା ଆରମ୍ଭ ହୋଇଥିଲା। ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଦଳ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ କଳାହାଣ୍ଡି ଜିଲ୍ଲାର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସମେତ ବିଜୁ ଜନତା ଦଳର ବହୁ ସଂଖ୍ୟକ ନେତା ଓ କର୍ମୀ ସାମିଲ ହୋଇଥିଲେ। ଜିଲ୍ଲାର ସକ୍ରିୟ ଦଳୀୟ କର୍ମକର୍ତ୍ତା, ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତା, ଜିଲ୍ଲା କମିଟି ସଦସ୍ୟ, ରାଜ୍ୟସ୍ତରୀୟ ଦଳୀୟ ପଦାଧିକାରୀ ଏବଂ ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଥିସହ ଜିଲ୍ଲା ପରିଷଦ ସଦସ୍ୟ, ନଗରପାଳ, କାଉନସିଲର ଓ ବ୍ଲକ ସଭାପତିମାନେ ମଧ୍ୟ ପଦଯାତ୍ରାରେ ଯୋଗଦେଇଥିଲେ। ବିଜୁ ଜନତା ଦଳ, କଳାହାଣ୍ଡିର ଜିଲ୍ଲା ସଭାପତି ତଥା ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀଙ୍କ ନେତୃତ୍ୱରେ ଏହି ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା।
କଳାହାଣ୍ଡିରୁ ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ।

