ବରୀରେ ଗାନ୍ଧୀ ଜୟନ୍ତୀ ସମାରୋହ: ବରିଷ୍ଠ ନଗରିକ ମାନଙ୍କୁ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର
ବରୀ, ୦୨/୧୦ ( ରଂଜିତ ମହାନ୍ତି ) : ବରୀ ଅରଙ୍ଗାବାଦ ସ୍ଥିତ ବାପୁଜୀ କ୍ଲବ ଆନୁକୂଲ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସମାରୋହରେ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ବରୀର ବିଭିନ୍ନ ସମସ୍ୟା ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବାପୁଜୀ କ୍ଳବର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ରା ନନ୍ଦ ପୁହାଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ହିମାଂଶୁ ଶେଖର ସାମଲ, ମୁଖ୍ୟ ବକ୍ତା ଭାବେ ଡ଼ଃ ଧୃବ ଚରଣ ଦାସ ଯୋଗ ଦେଇଥିଲେ। ବାପୁଜୀ କ୍ଲବର ସମ୍ପାଦକ ଆଇନଜୀବୀ ରାଜ କିଶୋର ସାମଲ ମଞ୍ଚ ସଂଚାଳନ କରିଥିଲେ । ପ୍ରାରମ୍ଭରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ୍ଣ କରାଯାଇଥିଲା। ବରୀର ବିଭିନ୍ନ ସମସ୍ୟା ସ୍ୱାସ୍ଥ୍ୟ, ଗମନା ଗମନ, ଶିକ୍ଷା, କୃଷି ଓ ବନ୍ୟା ସମସ୍ୟାକୁ ନେଇ ଅତିଥି ମାନେ ନିଜ ନିଜ ମତ ରଖିବା ସହିତ ଏହାର ସମାଧାନ ହେବା ଜରୁରୀ ବୋଲି କହିଥିଲେ । ଏହି ଅବସରରେ ବରୀ ଅଞ୍ଚଳର ବରିଷ୍ଠ ନାଗରିକ ମକର ଧ୍ୱଜ ସାହୁ, ଭୂପତି ମଲ୍ଲିକ, ନାରାୟଣ ବେହେରା, ବିଷ୍ଣୁ ଚରଣ ପରିଡ଼ା, ସଦାଶିବ ମଲ୍ଲିକ, ନକୁଳ ଚରଣ ବେହେରା, ପଦ୍ମନାଭ ଜେନା, କଣ୍ଠଶିଳ୍ପୀ ସୋମନାଥ ଦ୍ଵିବେଦୀ, ପ୍ରଫୁଲ୍ଲ କୁମାର ପଣ୍ଡା, ବିପିନ ବିହାରୀ ଦାସ, ମୁକୁନ୍ଦ ପ୍ରସାଦ ଦାସ, ଅଭୟ ଶତପଥୀ, ମହେଶ୍ୱର ବେହେରା, ରଘୁନାଥ ସାମଲ, ବୃନ୍ଦାବନ ସାମଲ, ନଟବର ବେହେରା, ସାମ୍ବାଦିକ ପ୍ରଭାତ ମହାନ୍ତି, ରମ୍ପା ସରପଞ୍ଚ ମାନସ ଜେନା, ରବୀନ୍ଦ୍ର ଜେନା ପ୍ରମୁଖଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବରୀ ସୁରକ୍ଷାମଞ୍ଚର ସଦସ୍ୟ ମିଲନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।