Hot Posts

6/recent/ticker-posts

ବିଡ୍ରିଗୁଡାରେ ମା’ ବିଡ୍ରି ଠାକୁରାଣୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଝରିଗାଁ, ୦୩/୧୦ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବିଡ୍ରିଗୁଡା ଖେଳ ପଡ଼ିଆରେ ମା’ ବିଡ୍ରି ଠାକୁରାଣୀଙ୍କ ନାମରେ ଆୟୋଜିତ ତିନିଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶନିବାର ଉଦ୍‌ଘାଟିତ ହୋଇଛି। ଖେଳ ଓ କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବୃଦ୍ଧି ସହ ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭାଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି। ଏହି ଫୁଟବଲ ପ୍ରତିଯୋଗିତାକୁ ଧୋଡ୍ରା ପଞ୍ଚାୟତର ସରପଞ୍ଚ ମହେନ୍ଦ୍ର ଭତ୍ରା ଓ ନାଏବ ସରପଞ୍ଚଙ୍କ ପ୍ରତିନିଧି ଅରୁଣ ପନକା ମିଳିତ ଭାବେ ଫିତା କାଟି ଉଦ୍‌ଘାଟନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ମୋଟ ୨୪ଟି ଦଳ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ ବିଜାପୁର ମାଝିଗୁଡା ଓ କରମରୀ ଦଳ ମଧ୍ୟରେ ଖେଳାଯାଇଥିଲା। ଆସନ୍ତା ଦୁଇଦିନ ଧରି ଏହି ପ୍ରତିଯୋଗିତା ଜାରି ରହିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଟୁର୍ଣ୍ଣାମେଣ୍ଟ କମିଟିର ସଭାପତି ସଭା ଭତ୍ରା, ଉପସଭାପତି ମାନସାୟ ଭତ୍ରା, କୋଷାଧ୍ୟକ୍ଷ ଟୁନା ପୂଜାରୀଙ୍କ ସମେତ କମିଟିର ସଦସ୍ୟ ଅମରସିଂ ଭତ୍ରା, ଇଶ୍ୱର ଭତ୍ରା, କୃଷ୍ଣ ପୂଜାରୀ, ଦେବସିଂ ପୂଜାରୀ, ରାକେଶ କୁମାର ଜେନା, ଖଗ ଭତ୍ରା, ମାଧବ ଭତ୍ରା, ମତିସିଂ ଭତ୍ରା ଓ ମନ ଭତ୍ରା ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟର ସୁପରିଚାଳନା କରିଥିଲେ। ଏହି ଫୁଟବଲ ପ୍ରତିଯୋଗିତାକୁ ଦେଖିବା ପାଇଁ ବିଡ୍ରିଗୁଡା ଖେଳ ପଡ଼ିଆରେ ଶତାଧିକ ଫୁଟବଲପ୍ରେମୀଙ୍କ ସମାଗମ ହୋଇଥିଲା। ଖେଳାଳିଙ୍କ ମଧ୍ୟରେ ଉତ୍ସାହ ଓ ଦର୍ଶକଙ୍କ ଉପସ୍ଥିତିରେ ଉଦ୍‌ଘାଟନୀ ଦିବସରେ ଖେଳ ପଡ଼ିଆ ଚଳଚଞ୍ଚଳ ହୋଇଉଠିଥିଲା।