ବାରମ୍ବାର ତାଲା ଭାଙ୍ଗି ଗୋଦାମ ଭିତରେ ଗୋରୁ ଚରାଉଥିବା ଅଭିଯୋଗ
ଝରିଗାଁ, ୦୩/୧୦ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟି ଗୁଡ଼ା ସ୍ଥିତ ଆର୍ ଏମ୍ ସି (RMC) ଗୋଦାମ ପରିସରରେ ଗାଈଗୋରୁଙ୍କ ଅବାଧ ପ୍ରବେଶକୁ ନେଇ ଅଭିଯୋଗ ହୋଇଛି। ଗୋଦାମର ତାଲା ବାରମ୍ବାର ଭାଙ୍ଗି କେତେକ ଗୋରୁ ଚରାଳି ଭିତରେ ଗାଈଗୋରୁ ଚରାଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଥିବା ଏହି ଗୋଦାମ ପରିସରକୁ ସୁରକ୍ଷିତ ରଖିବା ପାଇଁ ତାଲା ପକା ଯାଉଥିବା ବେଳେ ତାହାକୁ ଭାଙ୍ଗି ଗାଈଗୋରୁଙ୍କୁ ଭିତରକୁ ନିଆଯାଉଥିବା କୁହାଯାଉଛି। ଏନେଇ ବାରଣ କରାଯିବା ସତ୍ତ୍ୱେ ମଧ୍ୟ ଗୋରୁ ଚରାଳି ମାନେ ଏହାକୁ ମାନୁନଥିବା ଅଭିଯୋଗ ହୋଇଛି। ଫଳରେ ଗୋଦାମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ସମ୍ପତ୍ତିର ସୁରକ୍ଷା ଦୃଷ୍ଟିରୁ ଗୋଦାମ ପରିସରକୁ ଅନଧିକୃତ ପ୍ରବେଶ ରୋକିବା ସହ ତାଲା ଭାଙ୍ଗିବା ଘଟଣାର ତଦନ୍ତ କରିବା ଏବଂ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ମହଲରେ ଦାବି ହୋଇଛି। RMC କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଗୋଦାମର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି ହେଉଛି।