ନୂଆପଡ଼ା ବ୍ଲକରେ ବ୍ଲକସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ ୨୦୨୬ ଅନ୍ତର୍ଗତ 'ସେବା ସେତୁ ଶିବିର' ଅନୁଷ୍ଠିତ
ନୂଆପଡ଼ା, ୦୩/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ବ୍ଲକରେ ବ୍ଲକସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ ୨୦୨୬ – ଅନ୍ତର୍ଗତ 'ସେବା ସେତୁ ଶିବିର' ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଓ ସରକାରୀ ସେବାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହଜ, ସ୍ୱଚ୍ଛ ଓ ସମୟୋଚିତ ଭାବେ ପହଞ୍ଚାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ମାନ୍ୟବର ବିଧାୟକ, ନୂଆପଡ଼ା ଜୟ ଢୋଲକିଆ, ମାନ୍ୟବର କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି, ପ୍ରେମ ଅଗରୱାଲ, ପଞ୍ଚାୟତ ସମିତି ନୂଆପଡ଼ା ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଲ୍କର, ଜିଲ୍ଲା ପରିଷଦ ସଦସ୍ୟ ଉମା ଠାକୁର ଓ ଭାରତ ଲାଲ ରାଉତ, ସାହୁ ସମାଜ ସଭାପତି ଧନୀରାମ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୂଆପଡ଼ା ରୋହିତ ଭୋଇ, ତହସିଲଦାର, ନୂଆପଡ଼ା ଲଲାତେନ୍ଦୁ ଦଣ୍ଡସେନାଙ୍କ ସମେତ ବ୍ଲକ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ। ‘ସେବା ସେତୁ’ ଶିବିରକୁ ଏକ ଏକୀକୃତ ସେବା କେନ୍ଦ୍ର ଭାବେ ଆୟୋଜନ କରାଯାଇଥିବାରୁ ନାଗରିକମାନେ ଗୋଟିଏ ସ୍ଥାନରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଜାଣିବା, ଯୋଗ୍ୟତା ଯାଞ୍ଚ କରିବା, ପଞ୍ଜୀକରଣ ଓ ଆବେଦନ ଦାଖଲ କରିବା ସହ ପୂର୍ବରୁ ଦାଖଲ ହୋଇଥିବା ଆବେଦନର ସ୍ଥିତି ସମ୍ପର୍କରେ ଆବଶ୍ୟକ ସହାୟତା ପାଇଥିଲେ। ଶିବିରରେ ଶ୍ରମ, କୃଷି, ସ୍ୱାସ୍ଥ୍ୟ, ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ, ଖାଉଟି, ମହିଳା ଓ ଶିଶୁ ବିକାଶ, ରାଜସ୍ୱ, ସାମାଜିକ ସୁରକ୍ଷା, ଆଧାର ପଞ୍ଜୀକରଣ, ଶିଳ୍ପ ଓ ଗ୍ରାମୀଣ ଆବାସ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇ ଜନସାଧାରଣଙ୍କୁ ବିଭାଗୀୟ ଯୋଜନା ଓ ସେବା ସମ୍ପର୍କରେ ସୂଚନା ଏବଂ ଆବଶ୍ୟକ ସହାୟତା ପ୍ରଦାନ କରିଥିଲେ। ଶିବିରରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ବିଭିନ୍ନ ପେନସନ୍, ଆବାସ, ସ୍ୱାସ୍ଥ୍ୟ, କୃଷି, ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଯୋଗ୍ୟ ହିତାଧିକାରୀଙ୍କୁ ଶିବିରସ୍ଥଳରେ ଆବେଦନ ପୂରଣ ଓ ଦାଖଲ କରିବାରେ ବିଭାଗୀୟ ଅଧିକାରୀମାନେ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଶ୍ରମ ଓ ଇଏସ୍ଆଇ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ଜଣେ ମହିଳା ହିତାଧିକାରୀଙ୍କୁ ମୃତ୍ୟୁ ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦକୁ ୩,୦୫,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ୯ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ବାବଦକୁ ପ୍ରତ୍ୟେକଙ୍କୁ ୫୦ ହଜାର ହିସାବରେ ମୋଟ ୪,୫୦,୦୦୦ ଟଙ୍କା ଏବଂ ୨ ଜଣ ହିତାଧିକାରୀଙ୍କୁ ସନ୍ତାନଙ୍କ ଶିକ୍ଷା ପାଇଁ ପ୍ରତ୍ୟେକଙ୍କୁ ୮,୪୦୦ ଟଙ୍କା ହିସାବରେ ମୋଟ ୧୬,୮୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଏହିପରି ସର୍ବମୋଟ ୧୨ ଜଣ ହିତାଧିକାରୀଙ୍କୁ ୭,୭୧,୮୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସେହିପରି ଖାଉଟି ବିଭାଗ ପକ୍ଷରୁ ୮ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ରାସନ ବିତରଣ ପୁସ୍ତିକା ପ୍ରଦାନ କରାଯାଇଥିଲା। ‘ସେବା ସେତୁ’ ଶିବିର ମାଧ୍ୟମରେ ବିଭିନ୍ନ ବିଭାଗର ସେବାକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଯାଇ ଯୋଜନାର ଲାଭ ପାଇବା ପ୍ରକ୍ରିୟାକୁ ଅଧିକ ସରଳ, ସୁବିଧାଜନକ ଓ ଲୋକାଭିମୁଖୀ କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରୀ ଯୋଜନା ଓ ସେବାର ସୁଫଳ ସ୍ୱଚ୍ଛ, ସୁବିଧାଜନକ ଓ ସମୟୋଚିତ ଭାବେ ପହଞ୍ଚାଇବା ଦିଗରେ ଏହି ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି। ଜିଲ୍ଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କା କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ।