Hot Posts

6/recent/ticker-posts

ନିର୍ବାଚନ ଘୋଷଣା ପରେ ଚଳଚଞ୍ଚଳ କ୍ୟାମ୍ପସ:ଉତ୍ସାହିତ ଛାତ୍ରଛାତ୍ରୀ, ତତ୍ପର କର୍ତ୍ତୃପକ୍ଷ

ବରୀ, ୦୭/୧୦ ( ରଂଜିତ ମହାନ୍ତି ) : ରାଜ୍ୟ ସରକାର ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଦୀର୍ଘ ୯ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଥିଲା ବେଳେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ କଲେଜ କର୍ତ୍ତୃପକ୍ଷ ମଧ୍ୟ ତତ୍ପର ହୋଇ ପଡିଛନ୍ତି । ନିର୍ବାଚନ ୧୫ ତାରିଖରେ ଅନୁଷ୍ଠିତ ହେଉଥିବାରୁ ହାତରେ ଆଉ ଖୁବ କମ ସମୟ ମଧ୍ୟ ଅଛି । ବରୀ ବ୍ଲକର ଏକ ମାତ୍ର କଲେଜ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି । ତେଣୁ ଏହାକୁ ନେଇ ବରୀ ବ୍ଲକ ରାଜନୀତି ମଧ୍ୟ ହଠାତ ଉଷ୍ମ ହୋଇ ପଡିଛି । ଏଠାରେ ଶାସକ ବିଜେପି ଓ ବିରୋଧି ବିଜେଡି ନିର୍ବାଚନକୁ ନେଇ ନିଜ ନିଜର ରଣନୀତି ଆଙ୍କିବା ଆରମ୍ଭ କରିଛନ୍ତି । ଉଭୟ ଦଳ ନିଜ ନିଜର ପ୍ରାର୍ଥୀ ଖୋଜିବା ଆରମ୍ଭ କରିଥିଲା ବେଳେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ଆଲୋଚନା ଆରମ୍ଭ କରି ଦେଇଛନ୍ତି । କଲେଜ କର୍ତ୍ତୃପକ୍ଷ ମଧ୍ୟ ନିର୍ବାଚନକୁ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ନେଇ ବୈଠକ କରି ସାରିଛନ୍ତି । କିଛି ଛାତ୍ରଛାତ୍ରୀ ନିର୍ବାଚନ ଘୋଷଣା ଦ୍ୱାରା ସେମାନେ ସେମାନଙ୍କ ଅଧିକାର ଫେରି ପାଇଛନ୍ତି ବୋଲି କହିଛନ୍ତି । ନିର୍ବାଚନକୁ ନେଇ ସେମାନେ ଉତ୍ସାହିତ ଥିବା କହିଛନ୍ତି । କିଛି ଛାତ୍ରଛାତ୍ରୀ ନିର୍ବାଚନ ଶାନ୍ତି ଶୃଂଖଳା ମଧ୍ୟରେ ହେବା ଉଚିତ ବୋଲି ମତ ଦେବା ସହିତ ଅଣଛାତ୍ର କ୍ୟାମ୍ପସରେ ପଶିବା ଉଚିତ ନୁହେଁ ବୋଲି କହିଛନ୍ତି । ଏ ନେଇ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ କହିଛନ୍ତି ଦୀର୍ଘ ବର୍ଷ ପରେ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ଏହା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେବ ତାକୁ ପ୍ରାଥମିକତା ଦିଆ ଯାଉଛି । ନିର୍ବାଚନକୁ ଶୃଂଖଳାର ସହିତ ଆୟୋଜନ କରିବାକୁ କଲେଜ ପକ୍ଷରୁ ମିଳିତ ଉଦ୍ୟମ ହେଉଛି । ସରକାରଙ୍କ ବିଧି ବ୍ୟବସ୍ଥାକୁ ଅନୁପାଳନ କରିବା ସହିତ ଲିଙ୍ଗଡୋ କମିଶନଙ୍କ ନିୟମକୁ କଡାକଡି ଭାବେ ପାଳନ ହେବବୋଲି ମଧ୍ୟ କହିଛନ୍ତି । ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଭାଇଚାରା ବଜାୟରଖି ଶୃଂଖଳାର ସହିତ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ସେ ପରାମର୍ଶ ଦେଇଛନ୍ତି ।