Hot Posts

6/recent/ticker-posts

ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା

ସୁବର୍ଣ୍ଣପୁର, ୦୭/୧୦ ( ଜଗଦିଶ ମେହେର ) : ବିକଶିତ ଭାରତ ଗଠନର ଲକ୍ଷ୍ୟ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୫ ବର୍ଷର ଜନସେବାର ସେବା ଯାତ୍ରା ପୂର୍ତ୍ତି ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ସେବା ଜ୍ୟୋତି ଯାତ୍ରା ଓ ସେବା ସଂକଳ୍ପ ଅଭିଯାନ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ରାମେଶ୍ୱର ଷ୍ଟାଡିୟମଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବା ସହ ସହରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ୩୦ ଦିନ ଧରି ଆୟୋଜିତ ହେଉଥିବା ସେବା ସଂକଳ୍ପ ଅଭିଯାନ ୨୦୨୬ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନା, ନିଷ୍ପତ୍ତି ଓ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ସେଗୁଡ଼ିକର ସୁଫଳ ତୃଣମୂଳସ୍ତରରେ ପହଞ୍ଚାଇବା। ସୁବର୍ଣ୍ଣପୁର ସହରସ୍ଥିତ ରାମେଶ୍ୱର ଷ୍ଟାଡିୟମଠାରେ ଆୟୋଜିତ ବିଶାଳ ସମାବେଶରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ସେବା ସଂକଳ୍ପ ଓ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟ ସମ୍ପର୍କରେ ପ୍ରେରଣା ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସମସ୍ତଙ୍କ ଭାଗିଦାରିତାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ରାମେଶ୍ୱର ଷ୍ଟାଡିୟମଠାରୁ ଏକ ଜନସଚେତନତା ରାଲି ବାହାରି ସୁରେଶ୍ୱରୀ ମନ୍ଦିର ରୋଡ୍ ଦେଇ ନଳିନୀ ଛକ ଏବଂ ସେଠାରୁ ଆର୍‌ଟିଓ ଛକ ପର୍ଯ୍ୟନ୍ତ ଯାଇଥିଲା। ଆର୍‌ଟିଓ ଛକଠାରେ ସେବାର ପ୍ରତୀକ ଭାବେ ମଶାଲ ଜ୍ୟୋତି ପ୍ରଜ୍ୱଳନ କରାଯାଇଥିଲା। ଏହି ଅବସରରେ ଆର୍‌ଟିଓ ଛକକୁ ‘ସେବା ଜ୍ୟୋତି ଛକ’ ଭାବେ ନାମକରଣ କରାଯାଇଥିଲା। ଏହି ଅବସରରେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲା କହିଥିଲେ ଯେ, ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିକୁ ଜନକୈନ୍ଦ୍ରିକ କରିବା ଏବଂ ସରକାରଙ୍କ ଯୋଜନା ଓ ସେବାର ସୁଫଳ ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମାସବ୍ୟାପୀ ଏହି ଅଭିଯାନରେ କୃଷକ, ବରିଷ୍ଠ ନାଗରିକ, ଶିଶୁ ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗ, ବୟସ ଓ ଅଞ୍ଚଳର ଲୋକଙ୍କୁ ସାମିଲ କରାଯାଇ ରାଷ୍ଟ୍ରର ସାମଗ୍ରିକ ବିକାଶ ଦିଗରେ ସଚେତନ କରାଯାଉଛି। କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦେବାଶିଷ ସିଂହ, ସଂସ୍କୃତି ବିକାଶ ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚିତ୍ରରଞ୍ଜନ ମିଶ୍ର, ସାମାଜିକ କର୍ମୀ ଶ୍ରୀ ବେନୁଧର ଦାସଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।