Hot Posts

6/recent/ticker-posts

କଟକରେ ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬’ ଉଦ୍‌ଘାଟିତ

କଟକ, ୦୬/୧୦ ( କାହୁଁ ଚରଣ ବାରିକ ) : କଟକ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ନିରନ୍ତର ନିୟୋଜିତ ସଫେଇ ଓ ସ୍ୱଚ୍ଛତା କର୍ମୀଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ କଟକ ମହାନଗର ନିଗମ ପକ୍ଷରୁ ‘ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ–୨୦୨୬’ ଶହୀଦ ଭବନରେ ଉଦ୍‌ଘାଟିତ ହୋଇଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ କଟକ ମେୟର ସୁବାସ ସିଂହ ଏହାର ଉଦ୍‌ଘାଟନ କରିଥିଲେ। କେଏମସି କମିଶନର କିରନଦୀପ କୌର ସହୋତା କହିଥିଲେ, ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ସହରର ‘ସ୍ୱଚ୍ଛତା ହିରୋ’ମାନଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ଜଣାଇବାର ଦିନ। ମେୟର ସୁବାସ ସିଂହ ସଫେଇ କର୍ମୀଙ୍କ ଅବଦାନକୁ ଅବିସ୍ମରଣୀୟ ବୋଲି କହିବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ସରକାରୀ କଲ୍ୟାଣ ଯୋଜନାରେ ସଂପୃକ୍ତିକୁ ଗୁରୁତ୍ୱ ଦେଇଥିଲେ। ସାଂସଦ ଦେବାଶିଷ ସାମନ୍ତରାୟ ସଫେଇ କର୍ମୀମାନଙ୍କୁ ସହରର ପ୍ରକୃତ ହିରୋ ବୋଲି ଅଭିହିତ କରି ସେମାନଙ୍କ କଷ୍ଟସାଧ୍ୟ ସେବାକୁ ପ୍ରଶଂସା କରିଥିଲେ। ଡେପୁଟି ମେୟର ଦମୟନ୍ତୀ ମାଝୀ ମଧ୍ୟ ସଫେଇ କର୍ମୀଙ୍କୁ ସମ୍ମାନିତ କରିବା ଗୌରବର ବିଷୟ ବୋଲି କହିଥିଲେ। ଉତ୍ସବରେ ୨୦ଟି ୱାର୍ଡରେ କାର୍ଯ୍ୟରତ ସଫେଇ କର୍ମୀ, ଡ୍ରାଇଭର, ଲୋଡର, ଘରକୁ ଘର ଆବର୍ଜନା ସଂଗ୍ରହକାରୀ, ସାନିଟେସନ୍ ଇନ୍ସପେକ୍ଟର ଓ ଏକ୍ସପର୍ଟମାନଙ୍କୁ ‘ସ୍ୱଚ୍ଛ ଚାମ୍ପିଅନ୍’ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ମତ୍ତଗଜପୁରସ୍ଥିତ FSTP ପ୍ଲାଣ୍ଟର କୋର୍ ସାନିଟେସନ୍ ୱାର୍କରମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହାସହ ସଫେଇ କର୍ମୀଙ୍କ ପାଇଁ ମ୍ୟୁଜିକ୍ ଚେୟାର, ରଙ୍ଗୋଲି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ‘ବଡ଼ାଖାନା’ ଆୟୋଜିତ ହୋଇଥିଲା। କର୍ମୀମାନଙ୍କୁ EPF, ESI, ‘ଗରିମା’ ଓ ‘ନମସ୍ତେ’ ଯୋଜନା ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। ତିନିଦିନିଆ ଏହି ଉତ୍ସବ ସଫେଇ କର୍ମୀଙ୍କ ପ୍ରତି କଟକ ସହରର ସମ୍ମାନ ଓ କୃତଜ୍ଞତାର ପ୍ରତୀକ ପାଲଟିଛି।