ଥୁଆମୂଳ ରାମପୁର, ୦୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଐତିହ୍ୟ, ପରମ୍ପରା ଓ ଲୋକଆସ୍ଥାର ଅନନ୍ୟ ପରିଚୟ ବହନ କରୁଥିବା ଥୁଆମୂଳ ରାମପୁରର ପ୍ରସିଦ୍ଧ ଭୈରବ ଦେବଙ୍କ ଝାମୁଯାତ୍ରା ଶାନ୍ତିଶୃଙ୍ଖଳାର ସହ ମହାସମାରୋହରେ ସମ୍ପନ୍ନ ହୋଇଛି। ଝାମୁଯାତ୍ରା ସହ ଅଗ୍ନି ଭୈରବ ଦେବଙ୍କ ନବଦିନାତ୍ମକ ବାଲିଯାତ୍ରାର ମଧ୍ୟ ସମାପନ ହୋଇଛି। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ସାଙ୍ଗକୁ ପାରମ୍ପରିକ ପୂଜାବିଧି, କଣ୍ଟାଦୋଳି, ଅଗ୍ନି ପରୀକ୍ଷା ଓ ବିଭିନ୍ନ ସାଂସ୍କୃତିକ ଆୟୋଜନରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ପରମ୍ପରା ଅନୁଯାୟୀ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ନିକଟସ୍ଥ ନଦୀରୁ ପବିତ୍ର ବାଲି ଆଣି ଶସ୍ୟବୀଜ ରୋପଣ କରାଯାଇଥିଲା। ଏହାପରେ ବିଭିନ୍ନ ଧାର୍ମିକ ବିଧିବିଧାନ ମଧ୍ୟରେ ନବଦିନାତ୍ମକ ବାଲିଯାତ୍ରା ପାଳନ ହୋଇଥିଲା। ଶୁକ୍ରବାର ପଞ୍ଚମୀ ତିଥିରେ ଭୋରରୁ ଝାମୁଯାତ୍ରା ପାଇଁ କାଠ ସଂଗ୍ରହ ଓ ଅଗ୍ନି ସଂଯୋଗ ନିମନ୍ତେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଅପରାହ୍ନରେ ଭୈରବ ଦେବଙ୍କ କାଳିସୀ ଲାଗିବା ପରେ ସହର ପରିକ୍ରମା କରାଯାଇଥିଲା। ଏହାପରେ ଅଗ୍ନି ଭୈରବଙ୍କ କାଳିସୀ ଲାଗିଥିବା ପୂଜକ ଅଗ୍ନିକୁଣ୍ଡ ଉପରେ ଚାଲି ଅଗ୍ନି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଏହି ଦୃଶ୍ୟ ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଅଗ୍ନି ଭୈରବ ଦେବଙ୍କ ନୂତନ ପୂଜକ କଶ୍ୟପ ମୁଣ୍ଡଛିନା ଓ ମା’ ମାଣିକେଶ୍ୱରୀଙ୍କ ପୂଜକ ଶରତ ପୁଝାରୀଙ୍କ ସମେତ ମୁଖ୍ୟ ପୂଜକ ତାପସ ରାୟଗୁରୁ, ଗୌରଚନ୍ଦ୍ର ମୁଣ୍ଡଛିନା, ଚିନ୍ମୟ ମୁଣ୍ଡ, ଡମ୍ବରୁଧର ପୁଝାରୀ ପ୍ରମୁଖ ନିଜ ନିଜ ଦାୟିତ୍ୱ ତୁଲାଇଥିଲେ। ଝାମୁଯାତ୍ରା ଅବସରରେ କଳାହାଣ୍ଡିର ପାରମ୍ପରିକ ଲୋକବାଦ୍ୟ ଘୁମୁରା ପ୍ରତିଯୋଗିତାର ଆୟୋଜନ ହୋଇଛି। କଳାହାଣ୍ଡିର ବିଭିନ୍ନ ଅଞ୍ଚଳରୁ ଘୁମୁରା ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି।। ମା’ ମାଣିକେଶ୍ୱରୀ ପୂଜା କମିଟିର ସଭାପତି ଅଶ୍ବିନ କୁମାର ନାଏକ, ଉପସଭାପତି ହେମନ୍ତ ନାଏକ, ସମ୍ପାଦକ ଲୁଲୁ ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ବିଘ୍ନରାଜ ପାତ୍ରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାପରେ ନବଦିନାତ୍ମକ ଉତ୍ସବ ଆରମ୍ଭ ହୋଇ ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଝାମୁଯାତ୍ରା ପାଳନ କରାଯାଇଥିଲା। ମାନସିକଧାରୀ ଭକ୍ତମାନେ ନିଜ ମାନସିକ ଅନୁଯାୟୀ ଭୋଗ ଅର୍ପଣ କରିଥିଲେ।। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଘୁମୁରା ପ୍ରତିଯୋଗିତା ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏହି ଝାମୁଯାତ୍ରା କେବଳ ଧାର୍ମିକ ଉତ୍ସବ ନୁହେଁ, ବରଂ ଅଞ୍ଚଳର ପୁରାତନ ପରମ୍ପରା, ଲୋକବିଶ୍ୱାସ ଓ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ପ୍ରତିଫଳନ। ପୂଜାପାଠ ସହ ଘୁମୁରା, ନୃତ୍ୟ ଓ ଅନ୍ୟାନ୍ୟ ଲୋକକଳାର ସମାଗମ ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା। ଉତ୍ସବ ଅବସରରେ ଅଞ୍ଚଳରେ ଭକ୍ତି, ଆସ୍ଥା ଓ ଲୋକସଂସ୍କୃତିର ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା।
କଳାହାଣ୍ଡି ଜିଲ୍ଲାରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
