ଘରର ତାଲା ଭାଙ୍ଗି ପିତ୍ତଳ ସାମଗ୍ରୀ ଚୋରି, ଯୁବକ ଗିରଫ
କଟକ, ୦୯/୧୦ ( କାହୁଁ ଚରଣ ବାରିକ ) : ଘରର ଦ୍ୱାରର ଖିଲ ଭାଙ୍ଗି ପିତ୍ତଳ ସାମଗ୍ରୀ ଚୋରି ଅଭିଯୋଗରେ ଜଗତପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବରଗଡ଼ ଜିଲ୍ଲାର ବିଜୟ ଦୀପଙ୍କ ପୁଅ ସୁମେସ ଓରଫ ସୋମେସା ଦୀପ (୨୭)। ବର୍ତ୍ତମାନ ସେ ଜଗତପୁର ଥାନା ଅଞ୍ଚଳର ମୁଣ୍ଡା ସାହିରେ ରହୁଥିବା ପୋଲିସ କହିଛି। ପୋଲିସ ସୂଚନା ଅନୁଯାୟୀ, ଗୟାନା ଛକ ପ୍ରଧାନ ସାହିର ଗୀତାଞ୍ଜଳି ପ୍ରଧାନଙ୍କ ଘରେ ଦ୍ୱାରର ଖିଲ ଭାଙ୍ଗି ପ୍ରବେଶ କରି ପ୍ରାୟ ୩ କିଲୋ ଓଜନର ଏକ ପିତ୍ତଳ ପାତ୍ର, ଏକ ପିତ୍ତଳ ଧୂପଦାନି ଓ ଏକ ପିତ୍ତଳ ଘଣ୍ଟି ଚୋରି ହୋଇଥିଲା। ଏନେଇ ଜଗତପୁର ଥାନାରେ କେସ୍ ନମ୍ବର ୬୮୪/୨୦୨୬, ଧାରା ୩୩୧(୪)/୩୦୫(କ) ବିଏନଏସ୍ରେ ମାମଲା ରୁଜୁ ହୋଇଥିଲା। ୮ ତାରିଖ ସକାଳେ ଜଗତପୁର ଗୋଲେଇ ଛକରେ ଅଭିଯୁକ୍ତ ଥିବା ସୂଚନା ପାଇ ପୋଲିସ ତାଙ୍କୁ ଧରିଥିଲା। ପଚରାଉଚରା ପରେ ଚୋରି ସାମଗ୍ରୀ ମଧ୍ୟରୁ ପିତ୍ତଳ ପାତ୍ରଟି ତାଙ୍କ ଘର ନିକଟ ଏକ ଛୋଟ ପୋଖରୀରୁ ଜବତ କରାଯାଇଥିବା ପୋଲିସ ରିପୋର୍ଟରେ ଦର୍ଶାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ବରଗଡ଼ ଜିଲ୍ଲାର ଭଟଲି, ଅଟାବିରା, ବାରପାଲି ଓ ଅମ୍ବାଭୋନା ଥାନାରେ ପୂର୍ବରୁ ଚୋରି ସମ୍ପର୍କିତ ମାମଲା ଥିବା ପୋଲିସ କହିଛି। ତାଙ୍କୁ ଗିରଫ କରି ୮ ତାରିଖରେ କଟକ ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟକୁ ପଠାଯାଇଛି।