Hot Posts

6/recent/ticker-posts

୮ ବର୍ଷ ପରେ କମ୍ପୁଛି କ୍ୟାମ୍ପସ, ୩ ପ୍ରମୁଖ ଛାତ୍ର ସଂଗଠନ ସହ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କଳାହାଣ୍ଡି, ୦୯/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି କ୍ୟାମ୍ପସ ରାଜନୀତି। ଛାତ୍ର ସଂସଦ ନିର୍ବାଚନକୁ ନେଇ ଭୁବନେଶ୍ୱରଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ଓ ଉତ୍କଣ୍ଠା। ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନ ଦାଖଲର ଶେଷ ଦିନରେ ତିନୋଟି ପ୍ରମୁଖ ଛାତ୍ର ସଂଗଠନ ସହ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆଜିଠାରୁ ପ୍ରଚାର ମଇଦାନରେ ଜମିବ ଲଢ଼େଇ। ଆସନ୍ତା ୧୫ ତାରିଖରେ ହେବ ମତଦାନ। ତେବେ କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ଛାତ୍ରଛାତ୍ରୀ, ତାହାକୁ ନେଇ ଏବେ ସମସ୍ତଙ୍କ ନଜର। ଦୀର୍ଘ ୮ ବର୍ଷ ପରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ ହୋଇପଡ଼ିଛି ଭବାନୀପାଟଣାସ୍ଥିତ ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସର। ନାମାଙ୍କନ ଦାଖଲର ଶେଷ ଦିନରେ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ତିନୋଟି ପ୍ରମୁଖ ଛାତ୍ର ସଂଗଠନର ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିଜର ନାମାଙ୍କନ ଭରିଛନ୍ତି। ଦୀର୍ଘ ଦିନ ପରେ ନିର୍ବାଚନ ହେଉଥିବାରୁ କ୍ୟାମ୍ପସରେ ରାଜନୈତିକ ଉଷ୍ମତା ବଢ଼ିବା ସହ ପ୍ରାର୍ଥୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟକ୍କର। ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ପରେ ନିର୍ବାଚନ ପ୍ରଚାର ଆହୁରି ଜୋରଦାର ହେବାକୁ ଯାଉଛି। ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବେ। ଅନ୍ୟପଟେ, କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୫ ତାରିଖରେ ମତଦାନ ହେବାକୁ ଥିବା ବେଳେ ଭୋଟ୍ ଗଣତି ପରେ ସ୍ପଷ୍ଟ ହେବ କେଉଁ ସଂଗଠନ ବା ପ୍ରାର୍ଥୀଙ୍କ ସପକ୍ଷରେ ରହିଛି ଛାତ୍ରଛାତ୍ରୀଙ୍କ ଜନମତ।



କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ