Hot Posts

6/recent/ticker-posts

ଜୟପୁରରେ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗଣତନ୍ତ୍ର-ସମ୍ବିଧାନ ସୁରକ୍ଷା ସହ ବିଭିନ୍ନ ଦାବି, ଭାରୀ ଯାନ ଚଳାଚଳ ଠପ୍

ଜୟପୁର, ୦୮/୧୦ ( ଏ. ଭେଙ୍କଟ ରାଓ ) : ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ସମେତ ବିଭିନ୍ନ ଦାବି ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଅବସରରେ ଗୁରୁବାର ଜୟପୁରରେ ଆନ୍ଦୋଳନ ଜୋରଦାର ହୋଇଛି। ସକାଳୁ ଆନ୍ଦୋଳନକାରୀମାନେ ସହରର ବିଭିନ୍ନ ଛକ ଓ ମୁଖ୍ୟ ରାସ୍ତାରେ ପିକେଟିଂ କରି ଯାନବାହନ ଚଳାଚଳ ବନ୍ଦ କରିଥିଲେ। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ ପାଳନ କରାଯାଉଛି। ‘ଭୋଟ୍‌ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ନାରା ଦେଇ ଆହୂତ ବନ୍ଦକୁ କଂଗ୍ରେସ ସମର୍ଥନ କରିଛି। ସେହିପରି ‘ଇଣ୍ଡିଆ’ ମେଣ୍ଟର ଆହ୍ୱାନକ୍ରମେ ସିପିଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ମଧ୍ୟ ଜୟପୁରରେ ପ୍ରତିବାଦ କରାଯାଇଛି। ଆନ୍ଦୋଳନକାରୀମାନେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ଦାବି କରିଛନ୍ତି। ଏଥିସହ ୟୁପିଆଇ ଡିଜିଟାଲ୍‌ ପେମେଣ୍ଟ ଉପରେ ଲାଗୁ ହେଉଥିବା କଥିତ ଅଦୃଶ୍ୟ କର ପ୍ରତ୍ୟାହାର, ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଉଠିଛି। ସାମ୍ପ୍ରତିକ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଆବଶ୍ୟକୀୟ ସହାୟତା ସହ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ରାଜ୍ୟର ଅଧିକାର, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆନ୍ଦୋଳନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ନେତୃବୃନ୍ଦ କହିଛନ୍ତି। ବନ୍ଦ ଯୋଗୁଁ ଜୟପୁର ସହରର ଟ୍ରାଫିକ ଛକ ଓ ମାଲକାନଗିରି ବାଇପାସ୍‌ ରାସ୍ତାରେ ଭାରୀ ଯାନ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ଏହି ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା। ତେବେ ଜରୁରୀ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଥିଲା। ବିଧାୟକ ତାରା ପ୍ରସାଦ ବାହିନୀପତି ମୋଟରସାଇକଲରେ ଜୟପୁର ସହର ବୁଲି ବନ୍ଦ କରିବାକୁ ନିବେଦନ କରୁଥିବା ବେଳେ ଅନ୍ୟ କଂଗ୍ରେସ କର୍ମୀ ମାନେ ଦଳୀୟ ପତକା ଧରି ବିଭିନ୍ନ ଅଫିସ ଗୁଡିକ ବନ୍ଦ କରିଥିଲେ l