ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ବେଙ୍ଗାଲୁରୁ ନେଇଯିବା ଅଭିଯୋଗରେ ଅଭିଯୁକ୍ତ ମିଆଁ ଭାଇ ଗିରଫ
କଟକ, ୦୯/୧୦ ( କାହୁଁ ଚରଣ ବାରିକ ) : କଟକ ଜଗତପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ନେଇ ପଳାଇବା ଏବଂ ବେଙ୍ଗାଲୁରୁରେ ରଖି ବିବାହ ପାଇଁ ଚାପ ପକାଇବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲା ସିତାଇ ଥାନା ଅନ୍ତର୍ଗତ ଛଟ ବରୋମାସିଆ, ସିଲଦୁଆର ଅଞ୍ଚଳର ମୋସ୍ତାକିମ ମିଆଁଙ୍କ ପୁଅ ଲାମନ ମିଆଁ (୨୧)। ପୋଲିସ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ଜଗତପୁର ଥାନା ଅଧୀନ ଚମ୍ପତି ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ବାହୁଗ୍ରାମ କଲେଜ ଯିବାକୁ ଘରୁ ବାହାରିଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ସନ୍ଧାନ ନମିଳିବାରୁ ନାବାଳିକାଙ୍କ ଭାଇ ସୌମ୍ୟରଞ୍ଜନ ଓଝା ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜଗତପୁର ଥାନା ପୋଲିସ କେସ୍ ନଂ ୬୧୨, ତାରିଖ ୧୧.୦୯.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୭(୨) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ନାବାଳିକାଙ୍କ ବୟସ ସମ୍ପର୍କିତ ଦଶମ ଶ୍ରେଣୀ ପ୍ରମାଣପତ୍ର ପୋଲିସ ଜବତ କରିଥିଲା। ଏଥିରୁ ଘଟଣା ସମୟରେ ତାଙ୍କ ବୟସ ୧୭ ବର୍ଷ ୬ ମାସ ଥିବା ଜଣାପଡ଼ିଥିଲା। ପୋଲିସର ତଦନ୍ତରୁ ଜଣାପଡ଼ିଥିବା ଅନୁଯାୟୀ, ନାବାଳିକାଙ୍କ ସହ ଅଭିଯୁକ୍ତ ଲାମନ ମିଆଁଙ୍କର ସୋସିଆଲ ମିଡିଆ ମାଧ୍ୟମରେ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିବା ପୋଲିସ କହିଛି। ପରିବାର ପକ୍ଷରୁ ଏହି ସମ୍ପର୍କକୁ ବିରୋଧ କରାଯିବା ପରେ ନାବାଳିକା ଅଭିଯୁକ୍ତଙ୍କ ସହ ଘରୁ ପଳାଇଥିବା ଅଭିଯୋଗ ହୋଇଛି। ପୋଲିସ ଅନୁଯାୟୀ, ଉଭୟେ ଟ୍ରେନ୍ ଯୋଗେ ବେଙ୍ଗାଲୁରୁ ଯାଇ ସେଠାରେ ଏକ ଭଡ଼ାଘରେ ରହୁଥିଲେ। ସେଠାରେ ଅଭିଯୁକ୍ତ ନାବାଳିକାଙ୍କୁ ବିବାହ କରିବା ପାଇଁ ଚାପ ପକାଉଥିବା ତଦନ୍ତରୁ ଜଣାପଡ଼ିଥିବା ପୋଲିସ ଫରୱାର୍ଡିଂରେ ଉଲ୍ଲେଖ କରିଛି। ପୋଲିସ ନାବାଳିକାଙ୍କୁ ଅକ୍ଟୋବର ୬ ତାରିଖରେ ବେଙ୍ଗାଲୁରୁରୁ ଉଦ୍ଧାର କରିଥିଲା। ସେତେବେଳେ ଅଭିଯୁକ୍ତ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲା। ପରେ ପୋଲିସକୁ ମିଳିଥିବା ସୂଚନା ଆଧାରରେ ଅଭିଯୁକ୍ତ ଲାମନ ମିଆଁଙ୍କୁ ଅକ୍ଟୋବର ୭ ତାରିଖ ସନ୍ଧ୍ୟା ପ୍ରାୟ ୫ଟାରେ ବଡ଼ମ୍ବାଡ଼ି ବସ୍ଷ୍ଟାଣ୍ଡରୁ କାବୁ କରାଯାଇଥିଲା। ପଚରାଉଚରା ପରେ ତାଙ୍କୁ ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟାରେ ଗିରଫ କରାଯାଇଥିବା ପୋଲିସ କହିଛି। ନାବାଳିକାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ତାଙ୍କୁ ମେଡିକାଲ ପରୀକ୍ଷା ପାଇଁ ଏସ୍ସିବି ମେଡିକାଲର ଏଫ୍ଏମ୍ଟି ବିଭାଗକୁ ପଠାଯାଇଥିଲେ ମଧ୍ୟ ସେ ମେଡିକୋ-ଲିଗାଲ ପରୀକ୍ଷା କରାଇବାକୁ ମନା କରିଥିବା ପୋଲିସ ଫରୱାର୍ଡିଂରେ ଦର୍ଶାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ଭାବେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୭(୨)/୮୭ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ତାଙ୍କୁ ଜଗତପୁର ଥାନା ପକ୍ଷରୁ ଜେଏମ୍ଏଫ୍ସି (ରୁରାଲ), କଟକ ଅଦାଲତରେ ହାଜର କରାଯାଇଛି। ତଦନ୍ତ ଜାରି ରହିଥିବାରୁ ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ରିମାଣ୍ଡରେ ନେବାକୁ ପୋଲିସ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଛି।