୫ଟି ଗ୍ରାମରେ ଖୋଲା ହେଲା ଗୋଷ୍ଠୀ ମଧ୍ୟସ୍ଥତା କେନ୍ଦ୍ର: ମଧ୍ୟସ୍ଥଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ନୂଆପଡ଼ା, ୦୭/୧୦ ( ପରମେଶ୍ୱର ମେହେର ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ନୂଆପଡ଼ା ଜିଲ୍ଲାର ମୋଙ୍ଗରାପାଲି (ଖରିଆର ରୋଡ଼୍), ଲଖନା, ଭେଲା, ଗଡ୍ରାମୁଣ୍ଡା, ରୋକାଲ ଗ୍ରାମ ପଂଚାୟତ କାର୍ଯ୍ୟଳୟଗୁଡ଼ିକରେ ଗୋଷ୍ଠୀ ମଧ୍ୟସ୍ଥତା କେନ୍ଦ୍ର ଖୋଲା ଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣର ପାଇଲଟ୍ ପ୍ରୋଜେକ୍ଟ ଭାବେ ନୂଆପଡ଼ା ସମେତ ୦୫ଟି ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟରେ ଏହିପରି ପ୍ରତି ଜିଲ୍ଲା ରେ ୦୫ଟି ଲେଖାଏଁ ମଧ୍ୟସ୍ଥତା କେନ୍ଦ୍ର ଖୋଲାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ୦୩ ଜଣ ମଧ୍ୟସ୍ଥ କାର୍ଯ୍ୟ କରିବେ । ଅବସ୍ଥାପିତ ଗୋଷ୍ଠୀ ମଧ୍ୟସ୍ଥମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମର ବିଳାସ ବେହେରା ଉଦ୍ଘାଟନ କରିଥିଲେ। ଉକ୍ତ ଶିବିରରେ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଶାନ୍ତ କୁମାର ମିଶ୍ର, ନିବନ୍ଧକ ସୌଭାଗ୍ୟ ରଞ୍ଜନ ପ୍ରଧାନ, ସମ୍ମୁଖ କାର୍ଯ୍ୟାଳୟ ଓକିଲ ସନ୍ଥରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାଧିକରଣର ସଚିବ ନବନୀତା ଦାଶ, ତାଲିମପ୍ରାପ୍ତ ମଧ୍ୟସ୍ଥ ତଥା ବରିଷ୍ଠ ଓକିଲ ତ୍ରିଲୋକ ଚାନ୍ଦ ସୋନୀ ଓ କୁମୁଦ କୁମାର ହୋତା ଗ ନାଲସା ଦ୍ୱାରା ପ୍ରଦତ୍ତ ନିୟମାବଳୀ ଅନୁଯାୟୀ ମଧ୍ୟସ୍ଥମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଏହି ଶିବିରରେ ସମସ୍ତ ଗୋଷ୍ଠୀ ମଧ୍ୟସ୍ଥ ଯୋଗ ଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଉପରୋକ୍ତ ୫ଟି ୱାର୍ଡ଼/ଗ୍ରାମ ପଂଚାୟତର ବ୍ୟକ୍ତିମାନେ ନିଜ ନିଜର ବିବାଦଗୁଡ଼ିକର ଏହି କେନ୍ଦ୍ର ଗୁଡ଼ିକରେ ଆପୋଷ ସମାଧାନ କରିପାରିବେ ।