Hot Posts

6/recent/ticker-posts

ସ୍ୱଚ୍ଛତା ହିଁ ସେବା ଅଭିଯାନ, ଗୋଲାମୁଣ୍ଡାରେ ସ୍ୱଚ୍ଛତାର ବାର୍ତ୍ତା

କଳାହାଣ୍ଡି, ୦୨/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ମହାତ୍ମା ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ପାଳିତ ହେଉଛି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାଠାରେ ପଞ୍ଚାୟତ ସମିତି ଗୋଲାମୁଣ୍ଡା, ରିଲାଏନ୍ସ ଫାଉଣ୍ଡେସନ୍ ଏବଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ କର୍ତ୍ତବ୍ୟ ର ମିଳିତ ସହଯୋଗରେ ଆୟୋଜିତ ହୋଇଛି ସ୍ୱଚ୍ଛତା ଅଭିଯାନ। ଗୋଲାମୁଣ୍ଡା ପଞ୍ଚାୟତ ସମିତି ପରିସର ଏବଂ ମା’ ମଙ୍ଗଳା ମନ୍ଦିର ଅଞ୍ଚଳରେ ଆୟୋଜିତ ହୋଇଥିଲା ଏହି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ। ଏହି ଅବସରରେ ଗୋଲାମୁଣ୍ଡାର ବିଡିଓ ତ୍ରିପୁରା ମହାନନ୍ଦ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇ ସମସ୍ତଙ୍କୁ ସ୍ୱଚ୍ଛତା ପ୍ରତି ଦାୟିତ୍ୱବାନ ହେବାକୁ ଆହ୍ୱାନ କରିଥିଲେ। ବିଶିଷ୍ଟ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ କହିଥିଲେ “ସ୍ୱଚ୍ଛତା କେବଳ ଗୋଟିଏ ଦିନର ଅଭିଯାନ ନୁହେଁ। ଏହା ଆମର ଦୈନନ୍ଦିନ ଜୀବନର ଅଂଶ ହେବା ଆବଶ୍ୟକ। ଆମେ ସମସ୍ତେ ମିଳି ନିଜ ଅଞ୍ଚଳକୁ ସ୍ୱଚ୍ଛ ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା।” କର୍ତ୍ତବ୍ୟର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପଟ୍ଟନାୟଙ୍କ କହିଥିଲେ ଯେ “ସ୍ୱଚ୍ଛତା ଆମ ସମସ୍ତଙ୍କର ଦାୟିତ୍ୱ। ନିଜ ଘର, ନିଜ ଗାଁ ଓ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତେ ଆଗେଇ ଆସିବାକୁ ପଡିବ।” ସ୍ୱଚ୍ଛତା ପାଇଁ ସାମୂହିକ ପ୍ରୟାସ ହିଁ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନର ମାର୍ଗ। ଅଭିଯାନରେ କର୍ତ୍ତବ୍ୟର କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବ୍ଲକ୍ କର୍ମଚାରୀ ଓ ବିଭିନ୍ନ ସାମାଜିକ କର୍ମୀ ଯୋଗଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଗୋଲାମୁଣ୍ଡାରେ ଦିଆଗଲା ଏକ ଦୃଢ଼ ସାମାଜିକ ବାର୍ତ୍ତା—“ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛତା ହିଁ ଦାୟିତ୍ୱ।” 



କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍