ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ
ନୂଆପଡ଼ା, ୦୨/୧୦ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଏବଂ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟ ମଲ୍ୟବନ୍ତ ସୁନା, ଭାନୁ ପ୍ରତାପ ସିଂହ ମାଝୀ, ମୁରଲୀଧର ଭୋଇ ଓ ଅବନୀ ରଞ୍ଜନ ଯୋଶୀଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବିଶିଷ୍ଟ ବ୍ୟକ୍ତିବିଶେଷ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ଅତିଥିମାନେ ଗାନ୍ଧୀ ପ୍ରମୋଦ ଉଦ୍ୟାନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ମାନବିକତାର ଆଦର୍ଶ ତଥା ଲାଲବାହାଦୁର ଶାସ୍ତ୍ରୀଙ୍କ ସରଳତା, ନିଷ୍ଠା, ଶୃଙ୍ଖଳା, ଜାତିପ୍ରୀତି ଓ ଦେଶପ୍ରେମର ଆଦର୍ଶକୁ ଏହି ଅବସରରେ ସ୍ମରଣ କରାଯାଇଥିଲା। ସମାରୋହରେ ଉଦ୍ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ଗାନ୍ଧୀଜୀଙ୍କ ବିଚାର ଓ ଆଦର୍ଶ ଆଜି ମଧ୍ୟ ପ୍ରାସଙ୍ଗିକ। ବର୍ତ୍ତମାନ ସମୟରେ ଗାନ୍ଧୀବାଦକୁ ଆପଣାଇବା ସହ ତାଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁକରଣ କରିବା ହିଁ ଗାନ୍ଧୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ସତ୍ୟ, ଅହିଂସା, ସ୍ୱଚ୍ଛତା, ସରଳ ଜୀବନଯାପନ ଓ ମାନବିକ ମୂଲ୍ୟବୋଧକୁ ଜୀବନରେ ଧାରଣ କରି ସମାଜରେ ଶାନ୍ତି, ସଦ୍ଭାବନା ଓ ଭାଇଚାରା ପ୍ରତିଷ୍ଠା ପାଇଁ ସେ ଆହ୍ୱାନ ଦେଇଥିଲେ। ଏଥିସହ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନରୁ ଜାତିପ୍ରୀତି, ଦେଶପ୍ରେମ, ନିଷ୍ଠା ଓ କର୍ତ୍ତବ୍ୟପରାୟଣତାର ଶିକ୍ଷା ଗ୍ରହଣ କରିବାକୁ ସେ କହିଥିଲେ। ସମାରୋହରେ ଉପସ୍ଥିତ ବକ୍ତାମାନେ ଗାନ୍ଧୀଜୀଙ୍କ ଜୀବନ ଓ ଆଦର୍ଶ ଉପରେ ଆଲୋକପାତ କରିବା ସହ ସତ୍ୟ ଓ ଅହିଂସାର ମାର୍ଗ ଅନୁସରଣ କରି ସମାଜରେ ଶାନ୍ତି, ସଦ୍ଭାବନା ଓ ମାନବିକତା ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ଶାସ୍ତ୍ରୀଜୀଙ୍କ ଜାତିପ୍ରୀତି ଓ ଦେଶପ୍ରେମ ସହ ଦେଶ ଗଠନରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିଥିମାନେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ ମଞ୍ଚ ପରିଚାଳନା କରିଥିବା ବେଳେ ଜ଼ିଲ୍ଲା ସମ୍ବଳ ସଂଯୋଜକ ଅନୀଲ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଓ ବିଭାଗୀୟ କର୍ମଚାରୀମାନେ ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ଓ ସଫଳ ଆୟୋଜନରେ ସହଯୋଗ କରିଥିଲେ।