ଲଇକେରା ବ୍ଲକ ଶିକ୍ଷା ଅଧିକାରୀ ହିମାଂଶୁ ବାଗଙ୍କ ଅଭିନବ ପ୍ରୟାସ
ଲଇକେରା, ୦୨/୧୦ ( ନବଦୂତ ) : ଲଇକେରା ବ୍ଲକ ଶିକ୍ଷା ଅଧିକାରୀ ହିମାଂଶୁ ବାଗଙ୍କ ନିର୍ଦ୍ଦେଶକ୍ରମେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଲଇକେରା ବ୍ଲକର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିବିଧ କାର୍ଯ୍ୟକ୍ରମ ସୁଚାରୁରୂପେ ପାଳିତ ହୋଇଯାଇଛି।ଗାନ୍ଧୀ ଜୀବନ ଦର୍ଶନ, ସତ୍ୟ, ଅହିଂସା, ପରିଚ୍ଛନ୍ନତା ଓ ସେବା ଭାବନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ନିଶାମୁକ୍ତି ଅଭିଯାନ ଅନ୍ତର୍ଗତ ଛାତ୍ରଛାତ୍ରୀମାନେ କ୍ଷତିକାରକ ଅଭ୍ୟାସ ଛାଡିବା ପାଇଁ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଲଇକେରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସରପଞ୍ଚ ପ୍ରିୟମ୍ବଦା ବେହେରାଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ଲେବର ଅଫିସର ଅରୁଣ ଜାଟେ ଯୋଗଦେଇ ଶିଶୁଶ୍ରମ ଏକ ଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ କରିବା ସହ ଶିଶୁଙ୍କ ଅଧିକାର ସୁରକ୍ଷା ଓ ସେମାନଙ୍କୁ ଶିକ୍ଷା ମୁଖୀ କରିବା ଉପରେ ଆଲୋକପାତ କରିଥିଲେ। ଲଇକେରା ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ବାଗ ଉପସ୍ଥିତ ରହି ଅଧାରୁ ବିଦ୍ୟାଳୟ ତ୍ୟାଗ କରିଥିବା ତଥା ବିଦ୍ୟାଳୟ ବହିର୍ଭୂତ ଶିଶୁମାନଙ୍କ ଚିହ୍ନଟ ଓ ସେମାନଙ୍କୁ ପୁନଃ ମୁଖ୍ୟ ଶିକ୍ଷାସ୍ରୋତରେ ସାମିଲ କରିବା ପାଇଁ ଏକ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ଉପସ୍ଥାପନ କରିଥିଲେ। ବିଭିନ୍ନ ଅଞ୍ଚଳରୁ ଆସିଥିବା ସିଆରପି ତଥା ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଅଂଶଗ୍ରହଣରେ ଏକ ସାମୂହିକ ପଦଯାତ୍ରା ଅନୁଷ୍ଠିତ ହୋଇ ଲୋକମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଚାର କରାଯାଇଥିଲା। ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ପାଇଁ ସଚେତନତା ଓ ବିଦ୍ୟାଳୟ ବହିର୍ଭୂତ ଶିଶୁଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବିଆରସିସି ଜନ୍ମାଜୟ ନାଏକ, ଏବିଇଓ ହରିଶ ଚନ୍ଦ୍ର ନାୟକ, ତାଳମୁଣ୍ଡା ସିଆରସି ମନୋରଞ୍ଜନ କଣ୍ଟା, ଲଇକେରା ସିଆରସିସି ହରେଶ ପଟେଲ, ଭାତଲଇଡ଼ା ସିଆରସିସି ବାସୁଦେବ ଜୟପୁରିଆ, ବାବୁଛିପିଡ଼ିହି ସିଆରସିସି ମଳୟ ବସନ୍ତ ପଟ୍ଟନାୟକ, ସାହସପୁର ସିଆରସିସି ଦୀପକ ପଟେଲ ଏବଂ ତିଲେଇମାଲ ସିଆରସିସି କୃଷ୍ଣ କିସାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଲକର ସମସ୍ତ ବିଦ୍ୟାଳୟରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦନ କରାଗଲା। ଶ୍ରୀ ବାଗଙ୍କ ଏହି ଅଭିନବ ପ୍ରୟାସକୁ ଶିକ୍ଷକ, ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ବ୍ୟାପକ ପ୍ରଶଂସା କରାଯାଇଛି।