Hot Posts

6/recent/ticker-posts

‘ଆଙ୍ଗନ କା ଉତ୍ସବ’ର ଶେଷ ଦିନରେ ଉତ୍ସବମୁଖର କଳାହାଣ୍ଡି

ଭବାନୀପାଟଣା, ୨୯/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ‘ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ଆୟୋଜିତ ‘ଆଙ୍ଗନ କା ଉତ୍ସବ’ର ଶେଷ ଦିନରେ କଳାହାଣ୍ଡି ଜିଲ୍ଲାର ୧୪ଟି ପ୍ରକଳ୍ପ ଅଧୀନରେ ଥିବା ସମସ୍ତ ୨୩୭୭ଟି ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ ସଚେତନତାମୂଳକ, ପୁଷ୍ଟିମୂଳକ ଓ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଛି। ଏହି ଅବସରରେ ମହିଳା ଓ ଶିଶୁଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ସେବା ସମ୍ପର୍କରେ ହିତାଧିକାରୀମାନଙ୍କୁ ସଚେତନ କରାଯାଇଥିଲା। ବିଭିନ୍ନ ସରକାରୀ ଯୋଜନାରୁ ଉପକୃତ ହୋଇଥିବା ହିତାଧିକାରୀଙ୍କ ୬୦ ସେକେଣ୍ଡର ଅନୁଭୂତିମୂଳକ ଭିଡିଓ ରେକର୍ଡ କରାଯାଇ ଯୋଜନାଗୁଡ଼ିକର ସୁଫଳ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଏଥିସହ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସେବାରେ ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା ଓ ଆଶା କର୍ମୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ ସେବାକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ସେମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫଳ ବାସ୍କେଟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ‘ଆଙ୍ଗନ କା ଉତ୍ସବ’ର ପ୍ରଥମ ଦିନରେ ଆୟୋଜିତ ପୁଷ୍ଟିକର ରେସିପି ପ୍ରସ୍ତୁତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପୁରୁଷ ପ୍ରତିଯୋଗୀମାନଙ୍କ ମଧ୍ୟରୁ ସଫଳ ପ୍ରତିଯୋଗୀମାନଙ୍କୁ ଶେଷ ଦିନରେ ଜିଲ୍ଲାପାଳ, କଳାହାଣ୍ଡିଙ୍କ ସ୍ୱାକ୍ଷରିତ ପ୍ରମାଣପତ୍ର ଓ ଫଳ ବାସ୍କେଟ ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତା ମାଧ୍ୟମରେ ପରିବାରର ପୁଷ୍ଟି ଓ ଶିଶୁମାନଙ୍କ ସୁସ୍ଥ ବିକାଶରେ ପୁରୁଷମାନଙ୍କ ସକ୍ରିୟ ଭୂମିକା ଓ ସହଭାଗିତାକୁ ପ୍ରୋତ୍ସାହିତ କରାଯାଇଥିଲା। ଏହି ଦିନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ‘ତ୍ରିରଙ୍ଗା ପ୍ଲେଟ୍’ ମାଧ୍ୟମରେ ପୁଷ୍ଟିକର ଭୋଜନ ପରିବେଷଣ କରାଯାଇଥିଲା। ଭାତ, ଡାଲି, ବିଭିନ୍ନ ପନିପରିବା, ଅଣ୍ଡା ଓ ସାଲାଡ୍‌ ଭଳି ବିଭିନ୍ନ ପୁଷ୍ଟିକର ଖାଦ୍ୟକୁ ସାମିଲ କରାଯାଇ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବିଷୟରେ ଶିଶୁ ଓ ହିତାଧିକାରୀମାନଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶାଙ୍କ ମାର୍ଗଦର୍ଶନରେ ଏବଂ SWO, କଳାହାଣ୍ଡି ନିୟତି ବାଲା ସୋରେନ, PO ନମିତା ରାଣୀ ପଲ, PO-cum-PO ସନ୍ଧ୍ୟା ରାଣୀ ନାୟକ ଓ DC Poshanଅଜୟ ବିହାରଙ୍କ ସମନ୍ୱୟରେ, ସମସ୍ତ ୧୪ଟି ପ୍ରକଳ୍ପର CDPO, Lady Supervisor, ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା, ଆଶା କର୍ମୀ ଓ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟମାନଙ୍କ ସହଯୋଗରେ ‘ଆଙ୍ଗନ କା ଉତ୍ସବ’ର ଶେଷ ଦିନର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ତିନି ଦିନ ଧରି ଚାଲିଥିବା ‘ଆଙ୍ଗନ କା ଉତ୍ସବ’ ମାଧ୍ୟମରେ ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ, ଅଭିଭାବକ ଓ ସମୁଦାୟ ମଧ୍ୟରେ ସମନ୍ୱୟ ଓ ସହଭାଗିତାକୁ ସୁଦୃଢ଼ କରାଯିବା ସହିତ ପୁଷ୍ଟି, ସ୍ୱାସ୍ଥ୍ୟ, ପୂର୍ବ-ପ୍ରାଥମିକ ଶିକ୍ଷା ଓ ଶିଶୁଙ୍କ ସାମଗ୍ରିକ ବିକାଶ ସମ୍ପର୍କରେ ଏକ ସକାରାତ୍ମକ ବାର୍ତ୍ତା ପ୍ରସାରିତ ହୋଇଛି।