ଭବାନୀପାଟଣା, ୨୭/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋରଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଦିନ ଉତ୍ସାହ ଓ ଉଦ୍ଦୀପନାର ସହିତ ସିଡ୍ ବଲ୍ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। Centre for Environmental Studies (CES) ଓ ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ EEP ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ସମୁଦାୟ ମଧ୍ୟରେ ପରିବେଶ ସୁରକ୍ଷା, ଜୈବ ବିବିଧତା ସଂରକ୍ଷଣ ଏବଂ ସବୁଜ ଆବରଣ ବୃଦ୍ଧି ସମ୍ପର୍କରେ ସଚେତନତା ସୃଷ୍ଟି କରିବା। କାର୍ଯ୍ୟକ୍ରମରେ ଡିଆଇଇଟି, କଳାହାଣ୍ଡିର ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ମୂର୍ତ୍ତି କୁମାର, ସେଣ୍ଟାଲା BHO ଶ୍ରୀ ଲଲାଟ କେଶରୀ ବାଗ, CRCC ଶ୍ରୀ ଦୁର୍ଗା ଆଚାରୀ, ଫରେଷ୍ଟର ଶ୍ରୀ ବିଶିକେଶନ କରୁଆନ, CPSର ପ୍ରଧାନଶିକ୍ଷକ ଶ୍ରୀ ଧ୍ରୁବ ମହାପାତ୍ର ଏବଂ ବୋରଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଅଜିତ କୁମାର ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କାମଠଣା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀ ମାନସ ଭୋଇ ସିଡ୍ ବଲ୍ ପ୍ରସ୍ତୁତିର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଭିନ୍ନ ଭିନ୍ନ ବିଦ୍ୟାଳୟରୁ ପ୍ରାୟ ୫୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସିଡ୍ ବଲ୍ ପ୍ରସ୍ତୁତି, ବୀଜ ଅଙ୍କୁରୋଦ୍ଗମ ଏବଂ ବୃକ୍ଷରୋପଣ ପ୍ରଣାଳୀ ସମ୍ପର୍କରେ ପ୍ରାୟୋଗିକ ଜ୍ଞାନ ପ୍ରଦାନ କରାଯାଇଥିଲା। ଅଂଶଗ୍ରହଣ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରକୃତିର ସୁରକ୍ଷା, ବୃକ୍ଷରୋପଣ ଏବଂ ପରିବେଶର ସନ୍ତୁଳନ ରକ୍ଷା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ “ଗଛ ଲଗାନ୍ତୁ, ପ୍ରକୃତିକୁ ବଞ୍ଚାନ୍ତୁ ଓ ସବୁଜ ଭବିଷ୍ୟତ ଗଢ଼ନ୍ତୁ” ବାର୍ତ୍ତା ପ୍ରଦାନ କରିଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଶାନ୍ତିଲତା ବେହେରା, ରୁପିମା ପାଢ଼ୀ, ଅମୃତା ଦିବ୍ୟଦର୍ଶିନୀ, ମଧୁସୂଦନ ଦାଶ ଏବଂ ଅନ୍ୟାନ୍ୟ ଶିକ୍ଷକ- ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ଟି ସିଡ୍ ବଲ୍ ପ୍ରସ୍ତୁତ କରାଯାଇଥିଲା। ଏହା ମାଧ୍ୟମରେ ପରିବେଶ ସୁରକ୍ଷା, ଜୈବ ବିବିଧତା ସଂରକ୍ଷଣ ଓ ସବୁଜ ଆବରଣ ବୃଦ୍ଧି ପାଇଁ ଏକ ସକାରାତ୍ମକ ବାର୍ତ୍ତା ସମାଜକୁ ପ୍ରଦାନ କରାଯାଇଛି।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
