ଭଞ୍ଜନଗର ଅବକାରୀ ବିଭାଗର ବଡ଼ ସଫଳତା : ୧୨ କ୍ୱିଣ୍ଟାଲ ଗଞ୍ଜେଇ ସହ ୨ ଗାଡ଼ି ଜବତ, ୩ ଗିରଫ
ଭଞ୍ଜନଗର, ୨୧/୦୯ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ୧୨କ୍ୱିଣ୍ଟାଲ ଗଞ୍ଜେଇ ଧରି ଏବେ ଚର୍ଚ୍ଚାରେ। ବିପୁଳ ପରିମାଣରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବାରେ ଅବକାରୀ ବିଭାଗ ସଫଳ ହୋଇଛି । ଭଞ୍ଜନଗର ଠାରୁ କନ୍ଧମାଳ ରାସ୍ତାର ବୁଦୁଲି ମୁଖ୍ୟ ରାସ୍ତାରେ ଚୋରା ଚାଲାଣ ବେଳେ ପ୍ରାୟ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ଭଞ୍ଜନଗର ଅବକାରୀ ଟିମ୍। ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଚୋରା ଚାଲାଣରେ ବ୍ୟବହୃତ ଦୁଇଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ ରବିବାର ରାତି ପ୍ରାୟ ୭ଟା ୫୦ ମିନିଟ ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ବୁଦୁଲି ମୁଖ୍ୟ ରାସ୍ତାରେ ଏକ ଗଞ୍ଜେଇ ଚୋରା ଚାଲାଣ ନେଇ ଅବକାରୀ ଦଳ ଚଢ଼ାଉ କରିଥିଲା । ଏହି ସମୟରେ ଦୁଇଟି ଗାଡ଼ି (OR-05-AV-0091 ଏବଂ OD-05-AX-7507) ଯୋଗେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ଟିମ୍ ଏହାକୁ ଧରିବାରେ ସଫଳ ହୋଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶେଖର ଖଟୁଆ, ମାନସ ନାୟକ ଏବଂ ମନୋରଞ୍ଜନ ନାୟକ । ଅବକାରୀ ବିଭାଗ ପକ୍ଷରୁ ଏକ ଏଣ୍ଡିପିଏସ ମାମଲା ୮୧/୨୬ ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଏଣ୍ଡିପିଏସ ଆକ୍ଟ ଧାରା 20(b) (ii) (C)ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚୋରା କାରବାର ପଛରେ ଆଉ କାହାର ହାତ ରହିଛି, ସେ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଚଳାଇ ଥିବା ଅବକାରୀ ବିଭାଗ ଅଧିକାରୀ ବିଭୁ ପ୍ରସାଦ ସାହୁ କହିଛନ୍ତି।