Hot Posts

6/recent/ticker-posts

ମନେଇ ବାଲିଘାଟରେ ଖଣି ବିଭାଗର ଅଚାନକ ଚଢ଼ଉ ବେଆଇନ ବୋଟ୍ ଧ୍ୱଂସ, ହାଇୱା ଜବତ; ବାଲି ମାଫିଆଙ୍କ ମଧ୍ୟରେ ଛନକା

ବିଂଝାରପୁର, ୦୨/୦୯ (ପ୍ରଦୀପ କୁମାର ମଲ୍ଲିକ) : ବିଂଝାରପୁର ତହସିଲ ଅଧୀନ ମନେଇ ବାଲିଘାଟରେ ବେଆଇନ ବାଲି ଉତ୍ତୋଳନକୁ ନେଇ ଖଣି ବିଭାଗ ପକ୍ଷରୁ ମଙ୍ଗଳବାର ଅଚାନକ ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ନଦୀ ଭିତରେ ବାଲି ଉତ୍ତୋଳନରେ ବ୍ୟବହୃତ ହେଉଥିବା ଏକ ବେଆଇନ ବୋଟ୍‌କୁ ବିଭାଗୀୟ କର୍ମଚାରୀମାନେ ନଷ୍ଟ କରିଥିବାବେଳେ ଘଟଣାସ୍ଥଳରୁ ଏକ ହାଇୱା ଜବତ କରାଯାଇଛି। ସୂଚନା ଅନୁଯାୟୀ, ମନେଇ ବାଲିଘାଟରେ ବେଆଇନ ଭାବେ ବୋଟ୍ ନିୟୋଜିତ କରି ପ୍ରତିଦିନ ନଦୀ ଗର୍ଭରୁ ଶହଶହ ଟ୍ରିପ୍ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା। ପରେ ଏହି ବାଲିକୁ ଯାଜପୁର ଜିଲ୍ଲା ସମେତ ଜିଲ୍ଲା ବାହାରକୁ ମଧ୍ୟ ପରିବହନ କରାଯାଉଥିଲା।  ଏହାପରେ ଖଣି ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଚଢ଼ଉ କରାଯାଇଥିଲା। ଖଣି ଅଧିକାରୀ ବିଶାଲ ଠାକୁରଙ୍କ ନେତୃତ୍ୱରେ କନିଷ୍ଠ ଖଣି ଅଧିକାରୀ, ବିଂଝାରପୁର ପୁଲିସ ଓ ଅଗ୍ନିଶମ ବାହିନୀକୁ ନେଇ ଏକ ମିଳିତ ଟିମ୍ ବୋଟ୍ ଯୋଗେ ନଦୀ ଭିତରକୁ ଯାଇଥିଲା। ଟିମ୍‌ଟି ବେଆଇନ ବାଲି ଉତ୍ତୋଳନ ହେଉଥିବା ସ୍ଥାନରେ ପହଞ୍ଚିବା ପରେ ସେଠାରେ ଥିବା ବେଆଇନ ବୋଟ୍‌କୁ ନଷ୍ଟ କରାଯାଇଥିଲା। ଏଥିସହ ଘଟଣାସ୍ଥଳରୁ ଏକ ହାଇୱା ମଧ୍ୟ ଜବତ କରାଯାଇଛି। ଖଣି ବିଭାଗର ଏହି ଅତର୍କିତ ଚଢ଼ଉ ପରେ ବେଆଇନ ବାଲି କାରବାରରେ ସମ୍ପୃକ୍ତ ମାଫିଆଙ୍କ ମଧ୍ୟରେ ଛନକା ପଶିଛି। ତେବେ ବେଆଇନ ବାଲି ଉତ୍ତୋଳନ ନେଇ ଦୀର୍ଘଦିନ ଧରି ଅଭିଯୋଗ ରହିଥିବା ସତ୍ତ୍ୱେ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସାଧାରଣରେ ପ୍ରଶ୍ନ ଉଠିଛି। ଅଞ୍ଚଳବାସୀଙ୍କ ଦାବି ହେଉଛି, ମନେଇ ବାଲିଘାଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ସହ ବେଆଇନ ବାଲି ଉତ୍ତୋଳନ ଓ ପରିବହନରେ ସମ୍ପୃକ୍ତ ମାଫିଆଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ। ଏଥିସହ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଜିଲ୍ଲା ଖଣି ନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ତାଙ୍କ ନିକଟକୁ ଏ ସମ୍ପର୍କରେ କୌଣସି ସୂଚନା ଆସିନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଖଣି ଅଧିକାରୀ ବିଶାଲ ଠାକୁରଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।