Hot Posts

6/recent/ticker-posts

ଗୁରୁ ଦିବସ ଏବଂ ଗୁରୁ ଭଗବାନ ସାହୁଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ଲଇକେରା, ୦୫/୦୯ ( ନବଦୂତ ) : ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲଇକେରା ପରିସରରେ ପବିତ୍ର ଗୁରୁ ଦିବସ ଏବଂ ବିଶିଷ୍ଟ ନାଟ୍ୟକାର ଗୁରୁ ଭଗବାନ ସାହୁଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକ ଦିବସ ପାଳିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଧ୍ୟାପକ ସୁଶାନ୍ତ ରଥ, ସୁଦୀପ ପୁରୋହିତ, ପ୍ରବୀଣ ନାଏକ, ରାସେଶ୍ୱର ସାହୁ, ଅଧ୍ୟାପିକା ସୁପ୍ରଭା ନାଏକ, ଚନ୍ଦ୍ରିକା ମାଝୀ, ଜେମିନି ନେଟି, ଭବାନୀ ବାଗ, କର୍ମଚାରୀ ସଂଜୟ ମହାପାତ୍ର, ଠଣସୁନ୍ଦର ବେହେରା, ଟିକେଶ୍ବରି ଅମାତ ପ୍ରମୁଖ ଯୋଗଦେଇ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସକୁ ସ୍ମରଣ କରି ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ଉପରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଛାତ୍ରଛାତ୍ରୀମାନେ ଫୁଲ ଚନ୍ଦନ ଦେଇ ଗୁରୁଜନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ପ୍ରକାଶ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ସ୍ୱର୍ଗତ ଭଗବାନ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ଝାରସୁଗୁଡ଼ା ଏଲ୍ ଏନ୍ କଲେଜର ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଧ୍ୟାପକ ରୋହିତ ପଟେଲ ଯୋଗଦେଇ ଶ୍ରୀ ଗୁରୁଙ୍କ ବହୁମୁଖୀ ପ୍ରତିଭା, ନାଟ୍ୟ ସାହିତ୍ୟ ପ୍ରତି ଅବଦାନ, ଶିକ୍ଷା କ୍ଷେତ୍ରରେ ନିଷ୍ଠା ଏବଂ ସମାଜ ଓ ସଂସ୍କୃତି ପ୍ରତି ତାଙ୍କର ଅବଦାନକୁ ଉଚ୍ଚାରଣ କରିଥିଲେ । ଲଇକେରା ପି.ଏସ୍ ଡ଼ିଗ୍ରୀ କଲେଜର ଅବସରପ୍ରାପ୍ତ ଇତିହାସ ବିଭାଗ ପ୍ରଧ୍ୟାପକ ପ୍ରମୋଦ ସିଂ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱର୍ଗତ ଭଗବାନ ସାହୁଙ୍କ ସୃଜନଶୀଳ ଚିନ୍ତାଧାରା ଓ ନାଟ୍ୟକଳା ପ୍ରତି ଅନୁରାଗ ବର୍ତ୍ତମାନ ପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ମତପ୍ରକାଶ କରିଥିଲେ। ଅର୍ଥନୀତି ଅଧ୍ୟାପକ ରୁଦ୍ରାକ୍ଷ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଓଡ଼ିଆ ଅଧ୍ୟାପିକା ଶାନ୍ତି ହାସଂଦା ଧନ୍ୟବାଦ ଅର୍ପଣ କରିଥିଲେ।