ଯୁବ ସାମ୍ବାଦିକରୁ ବିଧାୟକ ପ୍ରାର୍ଥୀ, ଲୋକଙ୍କ ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି
ପୁରୀ, ୦୫/୦୯ ( ନବଦୂତ ) : ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀରେ ରାଜନୀତିରେ ଏକ ନୂଆ ଯୁବ ଚେହେରା ଭାବେ ଆଗକୁ ଆସିଛନ୍ତି ଜ୍ଞାନ ରଞ୍ଜନ ସାହୁ। ଯୁବ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ପରେ ଏବେ ସେ ବିଧାୟକ ପ୍ରାର୍ଥୀ ଭାବେ ନିଜର ରାଜନୈତିକ ପରିଚୟ ଗଢ଼ିବାକୁ ଉଦ୍ୟମ କରୁଛନ୍ତି। କାକଟପୁରରୁ କୋଣାର୍କ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ସମସ୍ୟା ଓ ଆବଶ୍ୟକତାକୁ ନେଇ ସେ ଲୋକଙ୍କ ନିକଟରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି। ନିଜ କର୍ତ୍ତବ୍ୟ ଓ ସାମାଜିକ ଦାୟିତ୍ୱବୋଧକୁ ଆଧାର କରି ସାଧାରଣ ଲୋକଙ୍କ ସହ ଠିଆ ହେବା ସହ ସମସ୍ୟାଗୁଡ଼ିକର ସମାଧାନ କିପରି ହୋଇପାରିବ, ସେନେଇ ଛାନ୍ଭିନ୍ କରୁଛନ୍ତି ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି। ବିଶେଷକରି ଐତିହାସିକ ସହର କୋଣାର୍କରେ ସ୍ୱାସ୍ଥ୍ୟସେବାର ସମସ୍ୟାକୁ ନେଇ ମଧ୍ୟ ସେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀମାନେ ହଇରାଣ ହେଉଥିବା ଅଭିଯୋଗ ରହିଥିବା ବେଳେ, ଏହି ସମସ୍ୟାର ସମାଧାନ ଦିଗରେ ଯୁବ ନେତା ଜ୍ଞାନ ରଞ୍ଜନ ସାହୁ ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଥିବା କୁହାଯାଉଛି। ଆଗାମୀ ଦିନରେ କାକଟପୁର ନିର୍ବାଚନମଣ୍ଡଳୀରେ ତାଙ୍କ ରାଜନୈତିକ ଭୂମିକା କେତେ ପ୍ରଭାବ ପକାଇବ, ତାହା ଉପରେ ଏବେ ନଜର ରହିଛି। ୨୦୨୯ ନିର୍ବାଚନରେ କାକଟପୁର ରାଜନୀତିରେ ଏହି ଯୁବ ଚେହେରାଙ୍କୁ ନେଇ କି ପରିବର୍ତ୍ତନ ଦେଖିବାକୁ ମିଳିବ, ତାହା ସମୟ ହିଁ କହିବ।