କୋରାପୁଟ, ୦୬/୦୯ ( ସୁରେନ୍ଦ୍ର ଖୋସଲା ) : କୋରାପୁଟ ସହରର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା କୋରାପୁଟ ପୌରପାଳିକା ଦ୍ୱାରା ପରିଚାଳିତ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନର ଅବ୍ୟବସ୍ଥାକୁ ନେଇ ଅଭିଭାବକ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଦୀର୍ଘଦିନ ଧରି ରହିଥିବା ଏହି ଶିଶୁ ଉଦ୍ୟାନର ଗତ ବର୍ଷ ପୁନର୍ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ଓ ମୌଳିକ ସୁବିଧାକୁ ନେଇ ପ୍ରଶ୍ନ ଉଠିଛି। ଉଦ୍ୟାନରେ ପ୍ରବେଶ ପାଇଁ ପୌରପାଳିକା ପକ୍ଷରୁ ଟିକେଟ୍ ଆଦାୟ କରାଯାଉଛି। ହେଲେ ଟିକେଟ୍ ଆଦାୟ ସତ୍ତ୍ୱେ ଉଦ୍ୟାନ ଭିତରେ ଶିଶୁମାନଙ୍କ ପାଇଁ ଆବଶ୍ୟକ ସୁବିଧା ଓ ସ୍ୱଚ୍ଛ ପରିବେଶ ନଥିବା ଅଭିଯୋଗ ହୋଇଛି। ବର୍ଷା ହେଲେ ଉଦ୍ୟାନ ପରିସରରେ କାଦୁଅ ଜମିଯାଉଛି। ଫଳରେ ଶିଶୁମାନେ ସୁରକ୍ଷିତ ପରିବେଶରେ ଖେଳିବା ବଦଳରେ କାଦୁଅ ମଧ୍ୟରେ ହନ୍ତସନ୍ତ ହୋଇ ଖେଳୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏନେଇ ଅଭିଭାବକମାନେ ଉଦ୍ୟାନର କର୍ମଚାରୀ ଓ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉନଥିବା ଅଭିଯୋଗ ରହିଛି। ବିଶେଷ କଥା ହେଉଛି, ଏହି ଉଦ୍ୟାନଟି ଜିଲ୍ଲା ମୁଖ୍ୟାଳୟର ଏକ ପ୍ରମୁଖ ସ୍ଥାନରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ପୌରପାଳିକା କାର୍ଯ୍ୟାଳୟ ନିକଟରେ ଅବସ୍ଥିତ। ଏତେ ନିକଟରେ ପ୍ରଶାସନିକ କାର୍ଯ୍ୟାଳୟ ଥିବା ସତ୍ତ୍ୱେ ଶିଶୁ ଉଦ୍ୟାନର ଏଭଳି ଅବ୍ୟବସ୍ଥା ପ୍ରତି ଦୀର୍ଘଦିନ ଧରି ଦୃଷ୍ଟି ନପଡିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ଶିଶୁମାନଙ୍କ ସ୍ୱାର୍ଥରେ ଉଦ୍ୟାନରେ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା, ସ୍ୱଚ୍ଛତା, ସୁରକ୍ଷିତ ଖେଳ ପରିବେଶ ଓ ଖେଳ ଉପକରଣର ନିୟମିତ ରକ୍ଷଣାବେକ୍ଷଣ କରାଯିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଟିକେଟ୍ ଆଦାୟ ହେଉଛି, ପୁନର୍ନିର୍ମାଣ ବି ହୋଇଛି—ତେବେ ଶିଶୁମାନଙ୍କ ପାଇଁ ମୌଳିକ ସୁବିଧା କାହିଁକି ନାହିଁ? ଏହି ପ୍ରଶ୍ନ ଏବେ କୋରାପୁଟବାସୀଙ୍କ ମନରେ। ବର୍ତ୍ତମାନ ଦେଖିବାକୁ ବାକି ରହିଲା, ପୌରପାଳିକା ଓ ଜିଲ୍ଲା ପ୍ରଶାସନର ନିଦ କେବେ ଭାଙ୍ଗୁଛି ଏବଂ ଶିଶୁ ଉଦ୍ୟାନର ଅବ୍ୟବସ୍ଥା କେବେ ଦୂର ହେଉଛି।
କୋରାପୁଟ ରୁ ସୁରେନ୍ଦ୍ର ଖୋସଲାଙ୍କ ରିପୋର୍ଟ ।

