Hot Posts

6/recent/ticker-posts

ଖଜୁରୀପଡ଼ାରେ ବିଜେପିର ସାଙ୍ଗଠନିକ କର୍ମଶାଳା ବୁଥ୍‌ସ୍ତରରେ ସଂଗଠନ ସୁଦୃଢ଼ ସହ ସେବା ସଂକଳ୍ପ ଅଭିଯାନକୁ ସଫଳ କରିବା ଉପରେ ଗୁରୁତ୍ୱ

ଖଜୁରୀପଡ଼ା, ୦୬/୦୯ (ଅଚ୍ୟୁତ ଜାନୀ): କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ମଣ୍ଡଳ ପକ୍ଷରୁ ମଣ୍ଡଳ ପଦାଧିକାରୀ ବୈଠକ ସହ ସାଙ୍ଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଖଜୁରୀପଡ଼ା ଲ୍ୟାମ୍ପସ୍‌ ସଭାଗୃହରେ ମଣ୍ଡଳ ସଭାପତି ରଞ୍ଜନ କୁମାର କହଁରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ରଣନୀତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ହେବାକୁ ଥିବା **‘ସେବା ସଂକଳ୍ପ ଅଭିଯାନ’** କୁ ବୁଥ୍‌ସ୍ତର ପର୍ଯ୍ୟନ୍ତ ସଫଳତାର ସହ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦଳୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ ଦିଆଯାଇଥିଲା। ଏହି ଅବସରରେ ସନ୍ଥ ଶିରୋମଣି ରବିଦାସଙ୍କ ଜନ୍ମମାଟିରୁ ଆସିଥିବା ମାଟି କଳସକୁ ପ୍ରତ୍ୟେକ ଗ୍ରାମ ଓ ବୁଥ୍‌ସ୍ତରକୁ ପହଞ୍ଚାଇବା ନେଇ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପର୍ଶୁରାମ ନାୟକ ଆଲୋଚନା କରିଥିଲେ। ଆଗାମୀ ଦିନରେ ଦଳର ସାଙ୍ଗଠନିକ ଭିତ୍ତିକୁ ଆହୁରି ମଜବୁତ କରିବା ସହ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଫଳତା ହାସଲ ପାଇଁ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ନେଇ ଜିଲ୍ଲା ପରିଷଦ ସଦସ୍ୟା ତଥା ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଉର୍ବଶୀ ଦିଗାଲ ମତବ୍ୟକ୍ତ କରିଥିଲେ। ଏଥିସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାଙ୍କ ପାଇଁ ପ୍ରଚଳିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ। ମନ୍ କି ବାତ୍‌ ଫୁଲବାଣୀ ବିଧାନସଭା ସଂଯୋଜକ ତଥା ଖଜୁରୀପଡ଼ା ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ ଦଳର ପୂର୍ବ ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବା ସହ ଆଗାମୀ ଦିନରେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଦଳୀୟ କାର୍ଯ୍ୟକ୍ରମ ପ୍ରତି ନିଷ୍ଠାବାନ ହୋଇ କାର୍ଯ୍ୟ କରିବା ଉପରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ କେଦାର ଗୌରୀ ସାହୁ ପରିଚାଳନା କରିଥିବା ବେଳେ ଅନ୍ୟତମ ସାଧାରଣ ସମ୍ପାଦକ ଦଶରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଜିଲ୍ଲା ଉପସଭାପତି ମନୋଜ କୁମାର ପଣ୍ଡା, ବିଧାୟକ ସ୍ୱାସ୍ଥ୍ୟ ପ୍ରତିନିଧି ରାଇକିଶ୍ୱର ପ୍ରଧାନଙ୍କ ସମେତ କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ସେନ ଦେହୁରୀ, ଯୁବମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର, ଜନଜାତି ମୋର୍ଚ୍ଚା ସଭାପତି ଆସ୍ତିକ ମଲିକ, ଓବିସି ମୋର୍ଚ୍ଚା ସଭାପତି ରୋହିତ କୁମାର ପ୍ରଧାନ, ଏସ୍‌ସି ମୋର୍ଚ୍ଚା ସଭାପତି ବିଜୟ କୁମାର ସେଠୀ ଓ ମହିଳା ମୋର୍ଚ୍ଚା ସମ୍ପାଦିକା ସବିତା ଭୋଇଙ୍କ ସମେତ ବିଭିନ୍ନ ଶକ୍ତିକେନ୍ଦ୍ର ଓ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ପ୍ରାରମ୍ଭରେ ବନ୍ଦେ ମାତରମ୍‌ ଗାନ କରାଯାଇଥିବା ବେଳେ ଶେଷରେ ଜାତୀୟ ସଙ୍ଗୀତ ଗାନ ପରେ ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର ସଭା ସମାପ୍ତ ଘୋଷଣା କରିଥିଲେ।